Google Chrome ବ୍ରାଉଜର ବ୍ୟବହାରକାରୀଙ୍କ ପାଇଁ ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ବଡ଼ ଚେତାବନୀ ଜାରି କରିଛି। କୋଟି କୋଟି Chrome ୟୁଜର୍ସ ଏବେ ସାଇବର ଅପରାଧୀଙ୍କ ଟାର୍ଗେଟରେ ଥିବାରୁ ତୁରନ୍ତ ସତର୍କ ହେବାକୁ ପରାମର୍ଶ ଦିଆଯାଇଛି। ଅବହେଳା କଲେ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବା ସହ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯାଇପାରେ ବୋଲି ସତର୍କ କରିଛି ଏଜେନ୍ସି।
CERT-In ଅନୁସାରେ, Chrome ବ୍ରାଉଜରରେ କିଛି ଗୁରୁତର ସୁରକ୍ଷା ତ୍ରୁଟି (Security Vulnerabilities) ଚିହ୍ନଟ ହୋଇଛି। ସାଇବର ଠକମାନେ ଏହି ତ୍ରୁଟିର ସୁଯୋଗ ନେଇ ୟୁଜର୍ସଙ୍କ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଗୁପ୍ତଭାବେ ପ୍ରବେଶ କରିପାରନ୍ତି। ବିଶେଷକରି ସନ୍ଦେହଜନକ ଲିଙ୍କ୍ କିମ୍ବା ମାଲିସିଅସ୍ ୱେବସାଇଟ୍ ଉପରେ କ୍ଲିକ୍ କଲେ ଏହି ବିପଦ ଅଧିକ ବଢ଼ିଯାଏ।
ହ୍ୟାକରମାନେ ଏହି ସୁରକ୍ଷା ତ୍ରୁଟିକୁ ବ୍ୟବହାର କରି ୟୁଜର୍ସଙ୍କ ପାସୱାର୍ଡ, ବ୍ୟାଙ୍କ ଡିଟେଲ୍ସ, OTP ଓ ଅନ୍ୟାନ୍ୟ ସଂବେଦନଶୀଳ ତଥ୍ୟ ଚୋରି କରିପାରନ୍ତି। କେବଳ ସେତିକି ନୁହେଁ, ଠକମାନେ ଡିଭାଇସ୍ରେ ମାଲୱେର ଇନଷ୍ଟଲ୍ କରି କ୍ୟାମେରା ଓ ମାଇକ୍ରୋଫୋନ୍ ପର୍ଯ୍ୟନ୍ତ ଆକ୍ସେସ୍ ନେଇପାରନ୍ତି। ଏଥିରେ ୟୁଜର୍ସଙ୍କ ପ୍ରାଇଭେସି ଓ ଆର୍ଥିକ ସୁରକ୍ଷା ଦୁହିଁ ଗୁରୁତର ଭାବେ ପ୍ରଭାବିତ ହୋଇପାରେ।
CERT-In ପକ୍ଷରୁ Chrome ୟୁଜର୍ସଙ୍କୁ ତୁରନ୍ତ ବ୍ରାଉଜର ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି। ନୂତନ ଅପଡେଟ୍ରେ ପୁରୁଣା ସୁରକ୍ଷା ତ୍ରୁଟିଗୁଡ଼ିକୁ ଠିକ୍ କରାଯାଇଥାଏ। ଯେଉଁମାନେ ଏବେ ମଧ୍ୟ ପୁରୁଣା ଭର୍ସନ୍ ବ୍ୟବହାର କରୁଛନ୍ତି ସେମାନେ ତୁରନ୍ତ Google Play Store କିମ୍ବା App Store କୁ ଯାଇ Chrome ଅପଡେଟ୍ କରିବା ଉଚିତ୍।
ସେହିପରି ଅଜଣା ଲିଙ୍କ୍ରେ କ୍ଲିକ୍ ନ କରିବା, ଅନାବଶ୍ୟକ ଆପ୍ ଡାଉନଲୋଡ୍ ନ କରିବା ଓ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍ ବ୍ୟବହାର କରିବାକୁ ମଧ୍ୟ ସାଇବର ଏକ୍ସପର୍ଟମାନେ ପରାମର୍ଶ ଦେଇଛନ୍ତି। ଅଳ୍ପ ସାବଧାନତା ବଡ଼ ସାଇବର ଠକେଇରୁ ଆପଣଙ୍କୁ ସୁରକ୍ଷିତ ରଖିପାରିବ।
