ପଶ୍ଚିମ ଓଡ଼ିଶାରେ ଜାରି ରହିବ ପ୍ରଚଣ୍ଡ ତାତି, ୩ ଦିନର ରେଡ୍‌ ଆଲର୍ଟ

Table of Content

ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଉଷ୍ମ ରାତ୍ରି ଲୋକଙ୍କୁ କଲବଲ କରୁଥିବା ବେଳେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦିନ ସହିତ ତାତିର ପ୍ରକୋପ ବଢ଼ୁଥିବା ବେଳେ ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳୁନାହିଁ।

ସୋମବାର ସକାଳ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍‌ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୦.୨ ଡିଗ୍ରି, ଝାରସୁଗୁଡ଼ାରେ ୪୦ ଡିଗ୍ରି, ରାଉରକେଲାରେ ୩୭ ଡିଗ୍ରି ଓ ଭୁବନେଶ୍ୱରରେ ୩୬.୨ ଡିଗ୍ରି ରହିଥିଲା। ଅପରାହ୍ନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୪ ଡିଗ୍ରି, ହୀରାକୁଦରେ ୪୨ ଡିଗ୍ରି, ଭୁବନେଶ୍ୱରରେ ୩୭.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୩୪.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। କାଳବୈଶାଖୀ ପ୍ରଭାବରୁ ଝାରସୁଗୁଡ଼ାରେ ତାପମାତ୍ରା କିଛି ହ୍ରାସ ପାଇଥିବା କୁହାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ହିଟୱେଭ୍‌ ସହ ଉଷ୍ମ ରାତ୍ରି ସ୍ଥିତି ଜାରି ରହିବ। ବୌଦ୍ଧ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ୨୭ ତାରିଖ ପର୍ଯ୍ୟନ୍ତ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଉଷ୍ଣ ଓ ଆର୍ଦ୍ର ପାଗ ଅନୁଭୂତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ସତର୍କ କରିଛି ଯେ, ପ୍ରଚଣ୍ଡ ଖରା ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ। ବିଶେଷକରି ସକାଳ ୧୧ଟାରୁ ବିକେଳ ୩ଟା ମଧ୍ୟରେ ତାତିର ପ୍ରଭାବ ସର୍ବାଧିକ ରହୁଥିବାରୁ ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। ପର୍ଯ୍ୟାପ୍ତ ପାଣି ପିଇବା, ହାଲୁକା ପୋଷାକ ପିନ୍ଧିବା ଓ ସୂର୍ଯ୍ୟକିରଣରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।

ରବିବାର ପଶ୍ଚିମ ଓଡ଼ିଶାର ୯ଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହିଥିବା ବେଳେ ୬ଟି ସହରରେ ପାରା ୪୫ ଡିଗ୍ରି ଅତିକ୍ରମ କରିଥିଲା। ‘ତତଲାଗଡ଼’ ଭାବେ ପରିଚିତ ଟିଟିଲାଗଡ଼ରେ ସର୍ବାଧିକ ୪୫.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ବୌଦ୍ଧରେ ୪୫.୬ ଡିଗ୍ରି, ଭବାନୀପାଟଣାରେ ୪୫.୪ ଡିଗ୍ରି, ସମ୍ବଲପୁରରେ ୪୫.୩ ଡିଗ୍ରି, ସୋନପୁରରେ ୪୫.୨ ଡିଗ୍ରି ଓ ବଲାଙ୍ଗୀରରେ ୪୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts