ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ସତର୍କ ରହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହ ବୈଠକ କରି ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ତ୍ରିପାଲ, ପାନୀୟ ଜଳ, ଓଡ୍ରାଫ୍, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆକସ୍ମିକ ବନ୍ୟା, ଜଳବନ୍ଦୀ ଏବଂ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଅବିରତ ବର୍ଷା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ କଟକ ଜିଲ୍ଲାର ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ମାଆ ଭଟ୍ଟାରିକା ପୀଠ ନିକଟରେ ବନ୍ୟାଜଳ ପହଞ୍ଚିଛି। ପରିସ୍ଥିତି ଉପରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛନ୍ତି। ପରମ୍ପରା ଅନୁଯାୟୀ, ଯଦି ବନ୍ୟାଜଳ ମନ୍ଦିର ଭିତରକୁ ପ୍ରବେଶ କରେ, ତେବେ ମାଆ ଭଟ୍ଟାରିକାଙ୍କୁ ଅସ୍ଥାୟୀ ଭାବେ ରୋଷଘରକୁ ସ୍ଥାନାନ୍ତର କରାଯିବ।
ସେହିପରି ଅନୁଗୋଳ ଜିଲ୍ଲାର ଟିକରପଡ଼ା ଅଞ୍ଚଳରେ ମୁଖ୍ୟ ରାସ୍ତା ଉପରେ ପ୍ରାୟ ପାଞ୍ଚ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏହାଫଳରେ ଚାରିଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସ୍ଥାନୀୟ ପ୍ରଶାସନ ଉଦ୍ଧାରକାରୀ ଟିମ୍କୁ ପ୍ରସ୍ତୁତ ରଖିବା ସହ ନଦୀକୂଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
ଅନ୍ୟପଟେ, ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବଢ଼ିଯାଇଥିବାରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶ ଦର୍ଶନ ସାମୟିକ ଭାବେ ବନ୍ଦ କରାଯାଇଛି। ଶ୍ରାବଣ ମାସରେ ହଜାର ହଜାର କାଉଡ଼ିଆ ଓ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ ମଧ୍ୟ ସେମାନେ କେବଳ ଦୂରରୁ ପ୍ରଣାମ କରି ଫେରିଛନ୍ତି। ଜଳସ୍ତର ସ୍ୱାଭାବିକ ହେବା ପରେ ପୁଣିଥରେ ସ୍ପର୍ଶ ଦର୍ଶନ ଆରମ୍ଭ କରାଯିବ ବୋଲି ଟ୍ରଷ୍ଟବୋର୍ଡ ସୂଚନା ଦେଇଛି।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ଆତଙ୍କିତ ନହୋଇ ପ୍ରଶାସନର ପରାମର୍ଶ ମାନିବା, ନଦୀ ଓ ଜଳପ୍ରବାହ ଅଞ୍ଚଳକୁ ଅନାବଶ୍ୟକ ନଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଥିବା ବେଳେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଇଛି।

Total Users : 1000778