୫ ଦିନ ଯାଏଁ ଜାରି ରହିବ ପ୍ରଚଣ୍ଡ ଖରା, ତା’ପରେ ବର୍ଷାର ସଙ୍କେତ

Table of Content

ପଶ୍ଚିମ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ଏବେ ପ୍ରଚଣ୍ଡ ତାତିରେ ସିଝୁଛି। ଅସହ୍ୟ ଗରମ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେକ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ଖବର ଆସୁଥିବାବେଳେ, ଅନେକ ଅଞ୍ଚଳରେ ପାଣି ସଂକଟ ଗଭୀର ରୂପ ନେଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ସତର୍କବାଣୀ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ପଶ୍ଚିମ ଓଡ଼ିଶାରେ ହିଟ୍‌ୱେଭ୍‌ ପରିସ୍ଥିତି ଅଧିକ ଗୁରୁତର ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୪୩ରୁ ୪୫ ଡିଗ୍ରି ସେଲସିଅସ୍‌ ମଧ୍ୟରେ ରହିବା ସମ୍ଭାବନା ରହିଛି। ସମ୍ବଲପୁର ଓ ବଲାଙ୍ଗୀର ଭଳି ଅଞ୍ଚଳରେ ଉଷ୍ମ ରାତି ମଧ୍ୟ ଅନୁଭୂତ ହେବାକୁ ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ତୁଳନାମୂଳକ କମ୍‌ ରହିଥିଲେ ମଧ୍ୟ ଅତ୍ୟଧିକ ଆର୍ଦ୍ରତା କାରଣରୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ୱର ଓ ପୁରୀରେ ପ୍ରକୃତ ତାପମାତ୍ରା କ୍ରମଶଃ ୩୮.୪ ଓ ୩୪.୮ ଡିଗ୍ରି ଥିଲେ ମଧ୍ୟ ହିଟ୍‌ ଇଣ୍ଡେକ୍ସ ୫୨ ଡିଗ୍ରି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହା ଲୋକଙ୍କୁ ଘରୁ ବାହାରିବାକୁ ବାଧ୍ୟତାମୂଳକ ହେଲେ ମାତ୍ର ଯିବାକୁ ସତର୍କ କରୁଛି।

ଆଜି ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଉପରେ ରେକର୍ଡ ହୋଇଛି। ଟିଟିଲାଗଡ଼ରେ ସର୍ବାଧିକ ୪୫.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବାବେଳେ ବୌଦ୍ଧରେ ୪୫.୬, ଭବାନୀପାଟଣାରେ ୪୫.୪, ସମ୍ବଲପୁରରେ ୪୫.୩, ସୁବର୍ଣ୍ଣପୁରରେ ୪୫.୨ ଓ ବଲାଙ୍ଗୀରରେ ୪୫ ଡିଗ୍ରି ରେକର୍ଡ ହୋଇଛି। ଏହାଛଡ଼ା ଝାରସୁଗୁଡ଼ା, ହୀରାକୁଦ, ନୂଆପଡ଼ା, ଅନୁଗୁଳ, ଫୁଲବାଣୀ, ବରଗଡ଼ ଓ ମାଲକାନଗିରିରେ ମଧ୍ୟ ତାପମାତ୍ରା ୪୨ ଡିଗ୍ରି ଉପରେ ରହିଛି।

ତେବେ ଏହି ତୀବ୍ର ଖରା ମଧ୍ୟରେ କିଛି ଆଶ୍ୱସ୍ତିର ଖବର ମଧ୍ୟ ମିଳିଛି। ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ଆଗାମୀ କିଛି ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ଶୁଷ୍କ ଉତ୍ତର-ପଶ୍ଚିମା ପବନ ଓ ପ୍ରଚଣ୍ଡ ସୂର୍ଯ୍ୟକିରଣ ଏହି ପରିସ୍ଥିତିକୁ ଆହୁରି ଗୁରୁତର କରିଛି। ତେବେ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ତାପମାତ୍ରାରେ ହ୍ରାସ ଆସିପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts