ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ଏବେ କ୍ରିକେଟ୍ ମହଳରେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ସମୟ ଧରି ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମ ଚୟନକର୍ତ୍ତାଙ୍କ ଚିନ୍ତା ବଢ଼ାଇଥିବାବେଳେ, ଟିମ୍ ଇଣ୍ଡିଆର ଟି-୨୦ ନେତୃତ୍ୱରେ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଏପରି ପରିସ୍ଥିତିରେ ଶ୍ରେୟସ ଆୟର, ଶୁଭମନ ଗିଲ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ସହ ଜଡ଼ିତ କିଛି ତାରକା ଖେଳାଳିଙ୍କ ନାମ ନୂଆ ଅଧିନାୟକ ଦୌଡ଼ରେ ଆସୁଛି।
ସମ୍ବାଦ ସଂସ୍ଥା PTIର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମତାମତ ଆଗାମୀ ଟି-୨୦ ଅଧିନାୟକ ଚୟନରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଚୟନକର୍ତ୍ତାମାନେ ଆଶା କରୁଥିଲେ ଯେ IPL ରେ ସୂର୍ଯ୍ୟକୁମାର ପୁରୁଣା ଫର୍ମକୁ ଫେରିବେ, କିନ୍ତୁ ତାଙ୍କ ବ୍ୟାଟିଂରେ ଆଶାନୁରୂପ ଉନ୍ନତି ଦେଖିବାକୁ ମିଳିନାହିଁ। ବିଶେଷ କରି ପେସ୍ ବୋଲରମାନଙ୍କ ବିରୋଧରେ ତାଙ୍କ ଦୁର୍ବଳତା ସ୍ପଷ୍ଟ ହେଉଥିବାରୁ ଚୟନକର୍ତ୍ତାମାନେ ଭବିଷ୍ୟତ ଯୋଜନାକୁ ନେଇ ନୂଆ ଭାବନା କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଶ୍ରେୟସ ଆୟର ଜଣେ ଶକ୍ତିଶାଳୀ ଦାବିଦାର ଭାବେ ଆଗକୁ ଆସୁଛନ୍ତି। ତାଙ୍କର ନେତୃତ୍ୱ ଦକ୍ଷତା ଓ ଚାପ ମଧ୍ୟରେ ଶାନ୍ତ ରହିବାର କ୍ଷମତାକୁ କ୍ରିକେଟ୍ ବିଶେଷଜ୍ଞମାନେ ସ୍ୱୀକାର କରୁଛନ୍ତି। ତେବେ IPL 2024ରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିୟନ୍ ହେବା ପରେ ମାର୍ଗଦର୍ଶକ ଗୌତମ ଗମ୍ଭୀରଙ୍କୁ ଅଧିକ ଶ୍ରେୟ ମିଳିଥିବା ନେଇ ଶ୍ରେୟସ ଅସନ୍ତୋଷ ପ୍ରକାଶ କରିଥିବା କଥା ମଧ୍ୟ ଚର୍ଚ୍ଚାରେ ରହିଛି। ଏହା ଚୟନ ପ୍ରକ୍ରିୟାରେ କେତେ ପ୍ରଭାବ ପକାଇବ, ତାହା ନେଇ ପ୍ରଶ୍ନ ଉଠୁଛି।
ଅନ୍ୟପଟେ ଶୁଭମନ ଗିଲ୍ଙ୍କ ଷ୍ଟକ୍ ଦିନକୁ ଦିନ ବଢ଼ୁଛି। IPLରେ ଗୁଜରାଟ ଟାଇଟାନ୍ସକୁ ପ୍ଲେଅଫ୍ରେ ପହଞ୍ଚାଇବା ସହ ନିଜ ବ୍ୟାଟ୍ରେ ମଧ୍ୟ ସେ ନିରନ୍ତର ଭଲ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଗିଲ୍ଙ୍କୁ ସମସ୍ତ ଫର୍ମାଟର ଭବିଷ୍ୟତ ନେତା ଭାବେ ଦେଖୁଥିଲା। ଯଦି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ପଦରୁ ହଟାଯାଏ, ତେବେ ଗିଲ୍ଙ୍କୁ ଟି-୨୦ ଦଳର ନୂଆ ନେତା ଭାବେ ଆଗକୁ ଆଣାଯାଇପାରେ।
ଏହାସହ ସଞ୍ଜୁ ସାମସନ, ଇଶାନ କିଷାନ ଓ ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ମଧ୍ୟ ଭବିଷ୍ୟତ ଯୋଜନାରେ ଆଲୋଚନାରେ ରହିଛି। ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସକୁ ଧ୍ୟାନରେ ରଖି ବିସିସିଆଇ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଥିବାବେଳେ, ଯୁବ ଓ ସ୍ଥିର ପ୍ରଦର୍ଶନକାରୀ ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇପାରେ।
ଆସନ୍ତା କିଛି ମାସ ଭିତରେ ଭାରତୀୟ ଟି-୨୦ ଦଳର ନେତୃତ୍ୱକୁ ନେଇ ବଡ଼ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ଯାଦବ ନିଜ ଫର୍ମକୁ ପୁନଃ ପ୍ରମାଣ କରିପାରିବେ କି ନାହିଁ, ନାକି ଟିମ୍ ଇଣ୍ଡିଆକୁ ମିଳିବ ନୂଆ ଅଧିନାୟକ — ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Total Users : 1000778