ବ୍ରହ୍ମପୁରରେ ପୁଣିଥରେ ଅପରାଧ ଓ ପୋଲିସ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଜଗା ସାହୁ ଓରଫ ଜଗନ୍ନାଥ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଥିବାବେଳେ ତାଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଜଗା ବାଉରୀ ସୁକୁଣ୍ଡା ଅଞ୍ଚଳରେ ଲୁଚିଥିବା ଖବର ପାଇ ପୋଲିସର ଏକ ବିଶେଷ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ ଉପରକୁ ବୋମା ମାଡ଼ କରି ଫେରାର ହେବାକୁ ଉଦ୍ୟମ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା, ଯାହାରେ ଜଗା ଆହତ ହୋଇଥିଲା।
ଗତକାଲି ରାତିରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକାନଗର ଅଞ୍ଚଳରେ ଘଟିଥିବା ଏକ ନିର୍ମମ ଆକ୍ରମଣ ଘଟଣାରେ ଜଗାର ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି। ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ସାର୍ବଜନୀନ ଭାବେ ରାସ୍ତା ଉପରେ ଖଣ୍ଡାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀମାନେ ତାଙ୍କୁ ରାସ୍ତାରେ ପକାଇ ଏକାଧିକ ଥର ଚୋଟ ପକାଇଥିବାବେଳେ, ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ଗୁରୁତର ଆହତ ମଙ୍ଗଳାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ କହିଛି ଯେ, ଆକ୍ରମଣକାରୀମାନେ ଯୋଜନାବଦ୍ଧ ଭାବେ ମଙ୍ଗଳାଙ୍କ ଗତିବିଧି ଉପରେ ନଜର ରଖି ଏହି କାଣ୍ଡ ଘଟାଇଥିଲେ।
ଉଲ୍ଲେଖନୀୟ ଯେ, ମଙ୍ଗଳା ପୂର୍ବରୁ ଏକ ବୋମାମାଡ଼ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲେ ଏବଂ କେବଳ ଚାରିଦିନ ପୂର୍ବରୁ ଜାମିନରେ ମୁକ୍ତି ପାଇଥିଲେ।
ସମ୍ପ୍ରତି ବ୍ରହ୍ମପୁରରେ ଲଗାତାର ଅପରାଧମୂଳକ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିଛି। ଗତ ସପ୍ତାହରେ ଖୋଡ଼ାସିଂ ଓଭରବ୍ରିଜ୍ରୁ ଜଣେ ଯୁବକଙ୍କୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦିପୁନା ନାୟକକୁ ପୋଲିସ ଏନକାଉଣ୍ଟର କରିଥିଲା। ସେହିପରି ଗିରିରୋଡ୍ରେ ଉମେଶ ରଥଙ୍କୁ ନିର୍ମମ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକ୍ତେଶ ସାହୁକୁ ମଧ୍ୟ ପୋଲିସ ଏନକାଉଣ୍ଟର କରିଥିଲା।
ଅପରାଧୀଙ୍କ ବିରୋଧରେ ପୋଲିସର ଲଗାତାର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସହରରେ ବଢ଼ୁଥିବା ହିଂସା ଓ ଗ୍ୟାଙ୍ଗ୍ ଆକ୍ଟିଭିଟି ନେଇ ସାଧାରଣରେ ଚିନ୍ତା ବଢ଼ିଛି।
