ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ (MWDT) ସମ୍ମୁଖରେ ଉପସ୍ଥାପନ ହେବାକୁ ଥିବା ବାର୍ଷିକ ଜଳ ଉପଲବ୍ଧତା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ପୃଥକ ଭାବେ କରାଯାଇଥିବା ଜଳ ଆକଳନକୁ ଆଧାର କରି ସରଳ ହାରାହାରି ପ୍ରଣାଳୀରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ସମଗ୍ର ମହାନଦୀ ଅବବାହିକାରେ ହାରାହାରି ବାର୍ଷିକ ୬୨.୩୬ MAF (ମିଲିୟନ୍ ଏକର-ଫୁଟ୍) ଜଳ ଉପଲବ୍ଧ ରହୁଛି । ଏହି ତଥ୍ୟ ଆଗାମୀ ଦିନରେ ଜଳ ବଣ୍ଟନ ନେଇ ଚାଲିଥିବା ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟାରେ ଗୁରୁତ୍ୱ ଅଧିକାର କରିପାରେ ବୋଲି ମନେ କରାଯାଉଛି ।
ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଗତ ୮ ଏପ୍ରିଲ ୨୦୨୬ ରେ MWDT ଙ୍କ ନିର୍ଦ୍ଦେଶକ୍ରମେ ଉଭୟ ରାଜ୍ୟର ଜଳ ଆକଳନକୁ ଗ୍ରହଣ କରାଯାଇଥିଲା । ପରେ ୧୫ ଏପ୍ରିଲ ୨୦୨୬ ରେ ଅନୁଷ୍ଠିତ ୧୪ତମ ମିଳିତ ବୈଷୟିକ କମିଟି ବୈଠକରେ ‘ଜୋଙ୍କ’ ଓ ‘ପାଇରୀ’ ଉପ-ଅବବାହିକା ସୀମାନ୍ତ ଅଞ୍ଚଳର କିଛି ତଥ୍ୟର ସଂଶୋଧନ କରାଯାଇଥିଲା । ଏହାପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।
ଦୀର୍ଘ ଦିନ ଧରି ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଆସୁଥିବା ବିବାଦରେ ଏହି ମିଳିତ ବୈଷୟିକ ଆକଳନକୁ ଏକ ମହତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି ଦେଖାଯାଉଛି । ବିଶେଷଜ୍ଞମାନଙ୍କ ମତରେ, ଏହି ରିପୋର୍ଟ ଆଧାରରେ ଆଗାମୀ ଶୁଣାଣିରେ ଜଳ ବଣ୍ଟନ ପାଇଁ ସ୍ପଷ୍ଟ ନୀତି ଓ ମାନକ ନିର୍ଦ୍ଧାରଣ ସମ୍ଭବ ହୋଇପାରେ ।
ସେପଟେ ମହାନଦୀ ଉପରେ ଛତିଶଗଡ଼ର ବିଭିନ୍ନ ବ୍ୟାରାଜ ଓ ପ୍ରକଳ୍ପକୁ ନେଇ ଓଡ଼ିଶା ପକ୍ଷରୁ ପୂର୍ବରୁ ଉଠାଯାଇଥିବା ଆପତ୍ତି ଏବଂ ତଳ ଅଞ୍ଚଳରେ ଜଳ ସଙ୍କଟ ନେଇ ଚିନ୍ତା ଏହି ରିପୋର୍ଟ ପରେ ପୁଣି ଚର୍ଚ୍ଚାରେ ଆସିଛି । ଏବେ MWDT ଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଉଭୟ ରାଜ୍ୟ ଅପେକ୍ଷା କରିଛନ୍ତି ।
