ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଘୋଷଯାତ୍ରାକୁ ୟୁନେସ୍କୋର ବୈଶ୍ୱିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବା ନେଇ ଆଶା ବଢ଼ିଛି । ଦୀର୍ଘ ବର୍ଷର ପ୍ରୟାସ ପରେ ୨୦୨୫ରେ ଶ୍ରୀମନ୍ଦିର ପ୍ରଶାସନ ସଫଳତାର ସହ ନାମାଙ୍କନ ପ୍ରକ୍ରିୟା ଶେଷ କରିଥିବା ସୂଚନା ମିଳିଛି ।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ପୂର୍ବରୁ ଘୋଷଯାତ୍ରାକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରିସାରିଛି । ଏବେ ଆସନ୍ତା ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଂ ପରେ ଏହାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ନେଇ ଅପେକ୍ଷା ରହିଛି ।
ଗତ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ତିନି ବର୍ଷ ଧରି ଏହି ପ୍ରୟାସ ସଫଳ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆବଶ୍ୟକ ତଥ୍ୟ, ପରମ୍ପରା ଓ ଐତିହ୍ୟ ଆଧାରିତ ଡକ୍ୟୁମେଣ୍ଟେସନ୍ ସଫଳତାର ସହ ପୂରଣ କରାଯାଇଥିଲା । ରଥଯାତ୍ରାର ପୌରାଣିକ ପରମ୍ପରା, ନିର୍ମାଣ ଶୈଳୀ, ଲୋକସମାଗମ ଓ ଶତାବ୍ଦୀ ପୁରୁଣା ତିଥି ପ୍ରଥାକୁ ୟୁନେସ୍କୋ ମାନ୍ୟତା ପାଇଁ ମୁଖ୍ୟ ଆଧାର ଭାବେ ଉପସ୍ଥାପନ କରାଯାଇଛି ।
ବିଶ୍ୱର ବିଭିନ୍ନ ସାଂସ୍କୃତିକ ଉତ୍ସବ ମଧ୍ୟରୁ କୁମ୍ଭମେଳା, ଦୁର୍ଗାପୂଜା ଓ ହିମାଚଳ ପ୍ରଦେଶର ରମ୍ମନ ପର୍ବ ଭଳି ଭାରତୀୟ ପରମ୍ପରାଗୁଡ଼ିକ ପୂର୍ବରୁ ୟୁନେସ୍କୋ ମାନ୍ୟତା ପାଇସାରିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ମଧ୍ୟ ବୈଶ୍ୱିକ ସ୍ତରରେ ସ୍ୱୀକୃତି ମିଳିବା ନେଇ ଆଶା ବ୍ୟକ୍ତ କରାଯାଉଛି ।
ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଅଧିକ ସୁସଂଗଠିତ ଓ ବୈଶ୍ୱିକ ମଞ୍ଚରେ ପରିଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଳିତ ଭାବେ ପଦକ୍ଷେପ ନେଉଛନ୍ତି ।
ୟୁନେସ୍କୋ ମାନ୍ୟତା ମିଳିଲେ ବିଶ୍ୱବାସୀ ଶ୍ରୀଜଗନ୍ନାଥ ସଂସ୍କୃତି, ମୂଳପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା ସମ୍ପର୍କରେ ଅଧିକ ଅବଗତ ହୋଇପାରିବେ । ଏହା ସହ ଅଦିନିଆ ରଥଯାତ୍ରା ଆୟୋଜନ ଉପରେ ମଧ୍ୟ ନିୟନ୍ତ୍ରଣ ଆସିପାରେ ବୋଲି ସେବାୟତ ଓ ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି ।
