ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଚର୍ଚ୍ଚାରେ ତୃଣମୂଳ କଂଗ୍ରେସ । ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ଓ ଗୋଷ୍ଠୀକଳହ ବଢ଼ୁଥିବା ବେଳେ, ବୁଧବାର ବାରାସତ ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ଇସ୍ତଫା ଦଳକୁ ନୂଆ ଝଟକା ଦେଇଛି ।
କାକୋଲି ଘୋଷ ଦଳର ସମସ୍ତ ସଂଗଠନ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ବାରାସତ ଜିଲ୍ଲା ସଭାପତି ପଦ ସହ ଟିଏମସି ସଂଗଠନର ଅନ୍ୟାନ୍ୟ ଦାୟିତ୍ୱରୁ ମଧ୍ୟ ଅପସାରିତ ହୋଇଛନ୍ତି । ଏନେଇ ସେ ଦଳର ରାଜ୍ୟ ସଭାପତି ସୁବ୍ରତ ବକ୍ସୀଙ୍କୁ ଚିଠି ଲେଖି ନିଜ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି ।
ରାଜନୈତିକ ମହଳରେ ଏହି ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ କାକୋଲି ଘୋଷ ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ କିଛି ଟିଏମସି ବିଧାୟକଙ୍କ ସହ ଯୋଗ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦଳ ଭିତରେ ତାଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।
ସୂଚନାଯୋଗ୍ୟ, ନିର୍ବାଚନୀ ପରାଜୟ ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କାକୋଲି ଘୋଷଙ୍କୁ ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ହଟାଇଥିଲେ । ତାଙ୍କ ସ୍ଥାନରେ କଲ୍ୟାଣ ବାନାର୍ଜୀଙ୍କୁ ନୂଆ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଥିଲା । ସେହି ସମୟରୁ କାକୋଲିଙ୍କ ଅସନ୍ତୋଷ ବଢ଼ୁଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଥିଲା ।
ଏହି ଘଟଣା ପରେ ଟିଏମସି ଭିତରେ ବଡ଼ ଧରଣର ବିଦ୍ରୋହ ଆରମ୍ଭ ହେବ କି ନାହିଁ, ସେନେଇ ରାଜନୈତିକ ମହଳରେ ଅଟକଳନା ଜୋର ଧରିଛି ।
