କବିସୂର୍ଯ୍ୟନଗର ହାଜତମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ରାଜ୍ୟ ମାନବାଧିକାର ସୁରକ୍ଷା କମିଶନ (HRPC)ର ଏକ ୪ ଜଣିଆ ଟିମ୍ ଗଞ୍ଜାମ ଏସପି କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି। ତଦନ୍ତର ଅଂଶ ଭାବେ କମିଶନ ପକ୍ଷରୁ କବିସୂର୍ଯ୍ୟନଗର ଥାନାର ମେ ୨୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତର ସମସ୍ତ ସିସିଟିଭି ଫୁଟେଜ ତଲବ କରାଯାଇଛି।
ଏହି ସମୟ ମଧ୍ୟରେ ଥାନା ପରିସରରେ କ’ଣ ଘଟିଥିଲା, ସେଥିପାଇଁ ସିସିଟିଭି ରେକର୍ଡ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ମଧ୍ୟ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ ହୋଇଛି।
ମୃତକ ସୁଶାନ୍ତଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି। ପରିବାର ଲୋକଙ୍କ ଦାବି ଅନୁଯାୟୀ, ପୁଲିସ ବୟାନ ପରିବର୍ତ୍ତନ କରିବାକୁ ଚାପ ପକାଉଥିବା ନେଇ ସୁଶାନ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ସତ୍ୟତା ନେଇ ମଧ୍ୟ HRPC ଟିମ୍ ଖୋଳତାଡ଼ ଆରମ୍ଭ କରିଛି।
ଘଟଣା ପରେ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ବଡ଼ ପ୍ରଶାସନିକ ପଦକ୍ଷେପ ନିଆଯାଇଛି। କବିସୂର୍ଯ୍ୟନଗର ଥାନା ଏବଂ ବାଲିଛାଇ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇଛି। ମୋଟ ୨୬ ଜଣ କର୍ମଚାରୀଙ୍କୁ ବିଭିନ୍ନ ଉପଖଣ୍ଡର ଥାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ ଜଣ ଏସଆଇ ଓ ୩ ଜଣ ଏଏସଆଇଙ୍କୁ ମଧ୍ୟ ବଦଳି କରାଯାଇଛି। ଏଥିସହ କନଷ୍ଟେବଳ ଓ ହୋମଗାର୍ଡଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପୂର୍ବରୁ ଜଣେ ଆଇପିଏସ ଅଧିକାରୀଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଜଣେ ଏସଆଇ, ଜଣେ ଏଏସଆଇ ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଜଣେ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି।
ବର୍ତ୍ତମାନ HRPCର ୪ ଜଣିଆ ଟିମ୍ ପୁରୁଷୋତ୍ତମପୁର ଡାକ ବଙ୍ଗଳାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ମାନବାଧିକାର ଉଲ୍ଲଂଘନ ଓ ହାଜତମୃତ୍ୟୁ ଅଭିଯୋଗର ସତ୍ୟତା ନେଇ କମିଶନର ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
