ଆଠଗଡ଼ର ପ୍ରସିଦ୍ଧ ସେଣ୍ଟ ଜାଭିୟର ହାଇ ସ୍କୁଲକୁ ନେଇ ପରିଚାଳନାଗତ ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାୟ ୧୨ ବର୍ଷ ଧରି କାର୍ଯ୍ୟରତ ଏହି ଶିକ୍ଷାନୁଷ୍ଠାନରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ଗତ କିଛି ସମୟ ଧରି ସ୍କୁଲ ପରିଚାଳନାକୁ ନେଇ ବିବାଦ ଦେଖାଦେଇଛି।
ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ଜି.ଏସ୍. ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, କେତେକ ବ୍ୟକ୍ତି ସ୍କୁଲର ପରିଚାଳନା ଉପରେ ଅବୈଧ ଭାବେ ନିୟନ୍ତ୍ରଣ ନେବାକୁ ଉଦ୍ୟମ କରୁଛନ୍ତି। ଏହା ଫଳରେ ସ୍କୁଲର ଶାନ୍ତିପୂର୍ଣ୍ଣ ପରିବେଶ ଓ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହେଉଥିବା ସେ ଦାବି କରିଛନ୍ତି।
ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ଧରି କାର୍ଯ୍ୟରତ କିଛି ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରିନ୍ସିପାଲ ଏବଂ ଆକାଉଣ୍ଟାଣ୍ଟଙ୍କୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ସେମାନେ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି।
ଏହି ମାମଲା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି। ଆସନ୍ତା ଅଗଷ୍ଟ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ସୂଚନା ମିଳିଛି।
ଏହି ପରିପ୍ରେକ୍ଷୀରେ ଆଠଗଡ଼ ଉପଜିଲ୍ଲାପାଳ ସ୍କୁଲରେ ଶାନ୍ତି, ଶୃଙ୍ଖଳା ଓ ଶିକ୍ଷା ପରିବେଶ ବଜାୟ ରଖିବାକୁ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି।
