ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଥିବା ଟ୍ୱିଶା ଶର୍ମା ଆତ୍ମହତ୍ୟା ଘଟଣା ପ୍ରତିଦିନ ନୂଆ ମୋଡ଼ ନେଉଛି। ଏହି ମଧ୍ୟରେ ଟ୍ୱିଶାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମାମଲାକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଭିଡିଓଟି ସାମ୍ନାକୁ ଆସିବା ପରେ ମୃତକଙ୍କ ଶ୍ୱଶୁର ଘର ପକ୍ଷର ଦାବିକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
ଭାଇରାଲ୍ ଭିଡିଓରେ ଟ୍ୱିଶା ନିଜ ଘରେ ଖୁସିରେ ସମୟ କାଟୁଥିବା ଦେଖାଯାଇଛନ୍ତି। ସେ ଭଜନର ସୁରରେ ନାଚୁଥିବା ବେଳେ ତାଙ୍କ ପାଳିତ କୁକୁରଟି ମଧ୍ୟ ସେଥିରେ ଖେଳୁଥିବା ଓ ନାଚୁଥିବା ନଜରକୁ ଆସିଛି। ସମଗ୍ର ଭିଡିଓରେ ଟ୍ୱିଶାଙ୍କ ମୁହଁରେ ସ୍ୱାଭାବିକ ହସ ଦେଖାଯାଇଥିବା ବେଳେ ସେ କୌଣସି ମାନସିକ ଚାପ କିମ୍ବା ଅସ୍ଥିରତାରେ ଥିବା ପରି ଲାଗୁନଥିଲେ।
ଏହି ଭିଡିଓ ଭାଇରାଲ୍ ହେବା ପରେ ଟ୍ୱିଶାଙ୍କ ଶାଶୁ ତଥା ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କ ପୂର୍ବତନ ଦାବିକୁ ନେଇ ପ୍ରଶ୍ନ ଉଠିଛି। ସେ ଟ୍ୱିଶା ମାଦକ ସେବନ କରୁଥିବା ସହ ଗୁରୁତର ମାନସିକ ରୋଗରେ ପୀଡ଼ିତ ଥିବା ଅଭିଯୋଗ କରିଥିଲେ। କିନ୍ତୁ ଭିଡିଓରେ ଟ୍ୱିଶାଙ୍କ ସ୍ୱାଭାବିକ ଓ ଖୁସିମନ୍ତା ଚିତ୍ର ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଅନେକେ ସେହି ଦାବିର ସତ୍ୟତାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି।
ଘଟଣାକୁ ନେଇ ଲୋକମାନଙ୍କ ମନରେ ଏବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି—ଯେଉଁ ଝିଅଟି ଭଜନ ଗାଇ ଓ ପ୍ରିୟ ପାଳିତ ପଶୁ ସହ ଖୁସିରେ ଜୀବନ କାଟୁଥିଲା, ସେ ହଠାତ୍ କାହିଁକି ଏତେ ବଡ଼ ପଦକ୍ଷେପ ନେଲା? ପୁଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଏହି ଭିଡିଓ ତଦନ୍ତକୁ ନୂଆ ଦିଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।
