ରାଜଧାନୀ ଉପକଣ୍ଠ ଜଟଣୀରୁ ଏକ ବଡ଼ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି ପୁଲିସ। ରାମଚନ୍ଦ୍ରପୁର ବଜାର ଅଞ୍ଚଳର ଏକ ଭଡା ଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ବୁଧବାର ରାତିରେ ଅତର୍କିତ ଚଢ଼ାଉ କରି ୬ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏହାସହ ଏହି ରାକେଟ୍ର ମୁଖ୍ୟ ଚାଳକ ଭାବେ ଅଭିଯୁକ୍ତ ଜଣେ ବୃଦ୍ଧାଙ୍କ ସମେତ ୫ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଉକ୍ତ ବୃଦ୍ଧା ଦୀର୍ଘଦିନ ଧରି ଭଡାରେ ରହି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟରେ ଲିପ୍ତ କରାଉଥିଲେ। ସ୍ଥାନୀୟ ଲୋକମାନେ ଘରଟିରେ ସନ୍ଦେହଜନକ କାର୍ଯ୍ୟକଳାପ ଚାଲୁଥିବା ନେଇ ପୂର୍ବରୁ ଅଭିଯୋଗ କରୁଥିଲେ। କିନ୍ତୁ ଅଭିଯୁକ୍ତ ମହିଳା ଏହାକୁ “ଧନ୍ଧାମୂଳକ ଶିକ୍ଷା କେନ୍ଦ୍ର” ବୋଲି ଦର୍ଶାଇ ସନ୍ଦେହକୁ ଏଡ଼ାଇ ଆସୁଥିଲେ।
ସନ୍ଧ୍ୟା ହେବା ପରେ ଘର ଆଗରେ ବାହାର ଲୋକଙ୍କ ଭିଡ଼ ଜମୁଥିବା ଏବଂ ଲୋକମାନେ ଘଣ୍ଟା ଘଣ୍ଟା ଧରି ସେଠାରେ ସମୟ ବିତାଉଥିବା ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ବୁଧବାର ରାତି ପ୍ରାୟ ୮ଟା ସମୟରେ ପୁଲିସ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ଗ୍ରାହକ ଓ ଦେହଜୀବୀଙ୍କୁ ଅସଞ୍ଜତ ଅବସ୍ଥାରେ ପାଇଥିଲା ପୁଲିସ।
ଘଟଣାସ୍ଥଳରୁ ପୁଲିସ ନଗଦ ଟଙ୍କା, ମୋବାଇଲ୍ ଫୋନ୍, ଗାଡ଼ି ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଗିରଫ ହୋଇଥିବା ଗ୍ରାହକମାନେ ଜଟଣୀ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବୋଲି ତଦନ୍ତରୁ ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଯୁବତୀମାନଙ୍କୁ ସୁରକ୍ଷା ନିମନ୍ତେ ସର୍ଟ୍ ଷ୍ଟେ ହୋମ୍କୁ ପଠାଯାଇଛି।
ପୁଲିସ ଏବେ ଘରମାଲିକ ଏହି ଅବୈଧ କାରବାର ବିଷୟରେ ଜାଣିଥିଲେ କି ନାହିଁ, ସେନେଇ ତଦନ୍ତ ଚାଲାଇଛି। ଗିରଫ ହୋଇଥିବା ସମସ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ଏହାସହ ଗତକାଲି ବରଗଡ଼ ଜିଲ୍ଲାର ଧାଙ୍ଗେର ଅଞ୍ଚଳର ଏକ ଢାବାରୁ ମଧ୍ୟ ଆଉ ଏକ ସେକ୍ସ ରାକେଟ୍ ଠାବ ହୋଇଥିଲା। ସେଠାରେ ପୁଲିସ ଚଢ଼ାଉ କରି ଢାବା ମାଲିକ ଆତ୍ମାରାମ ପଣ୍ଡା, ତାଙ୍କ ସ୍ତ୍ରୀ ପ୍ରଣତି ପଣ୍ଡା ଓ ୩ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ନଗଦ ୨୬ ହଜାର ୨୬୦ ଟଙ୍କା, ୨ଟି ମୋଟରସାଇକେଲ୍, ୬ଟି ମୋବାଇଲ୍ ଫୋନ୍ ଓ ବିପୁଳ ପରିମାଣର ମଦ ଜବତ କରାଯାଇଥିଲା।
ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅବୈଧ ଦେହ ବ୍ୟବସାୟ ବଢ଼ୁଥିବା ଘଟଣା ପୁଣିଥରେ ଆଇନଶୃଙ୍ଖଳା ଓ ସାମାଜିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
