ଓଡ଼ିଶାରେ ଆସନ୍ତା ୩୦ ତାରିଖରୁ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ଏହି ବିଶେଷ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବାକୁ ଥିବାବେଳେ, ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଭୋଟରଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ ଖୋଲାଯିବ। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଏହି ହେଲ୍ପ ଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଭୋଟର ଯୋଗ୍ୟତା, ନୂତନ ନାମ ଯୋଡ଼ା, ସଂଶୋଧନ ଓ ନାମ ବିଲୋପ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ। ସେଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ମଧ୍ୟ ସହଯୋଗ ମିଳିବ।
ବିଶେଷକରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ଓ ସୁବିଧାଜନକ ସେବା ଯୋଗାଇବାକୁ ଏହି ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କରେ ପ୍ରଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ଉପଲବ୍ଧ ରହିବ।
ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବ। ମଇ ୨୫ ସୁଦ୍ଧା ହେଲ୍ପ ଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାକୁ କୁହାଯାଇଛି।
ଭୋଟର ତାଲିକାକୁ ଅଧିକ ସଠିକ ଓ ଅପଡେଟ୍ କରିବା ଲକ୍ଷ୍ୟରେ ଏହି ବିଶେଷ ସଂଶୋଧନ କାର୍ଯ୍ୟକ୍ରମ ହେବ। ଏଥିପାଇଁ ରାଜ୍ୟର ୩୮ ହଜାର ୧୨୩ ଜଣ ବୁଥ୍ ଲେଭେଲ ଅଫିସର (BLO) ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୮,୩୯୧ ଜଣ ବୁଥ୍ ଲେଭେଲ ଏଜେଣ୍ଟ (BLA) ନିଯୁକ୍ତ ହେବେ।
ରାଜ୍ୟର ପ୍ରାୟ ୩.୩୪ କୋଟି ଭୋଟରଙ୍କ ତଥ୍ୟ ସିଧାସଳଖ ଯାଞ୍ଚ କରାଯିବାକୁ ଥିବାବେଳେ, ଏହି ଅଭିଯାନ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ ଓ ନିର୍ଭୁଲ କରିବ ବୋଲି ଆଶା କରାଯାଉଛି।
