ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି ୨୦୨୬’ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ଆହୁରି ଜୋରଦାର କରିଛି । ବୁଧବାର ସିବିଆଇ ଏହି ମାମଲାରେ ଆଉ ଦୁଇ ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରର ଲାଟୁରର ଜଣେ ଡାକ୍ତର ଏବଂ ପୁଣେର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରର ଫିଜିକ୍ସ ଶିକ୍ଷକ ସାମିଲ ଅଛନ୍ତି । ସିବିଆଇ ସୂଚନା ଅନୁସାରେ, ଡାକ୍ତର ମନୋଜ ଶିରୁରେ ଓ ଶିକ୍ଷକ ତେଜସ ହର୍ଷଦକୁମାର ଶାହ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରି ଚୟନିତ ଛାତ୍ରଛାତ୍ରୀଙ୍କୁ ପହଞ୍ଚାଇବା ଷଡ଼ଯନ୍ତ୍ରରେ ସକ୍ରିୟ ଭାବେ ଜଡ଼ିତ ଥିବା ଅଭିଯୋଗ ରହିଛି ।
ତଦନ୍ତରେ ଜଣାପଡ଼ିଛି ଯେ, ଡାକ୍ତର ଶିରୁରେ କେମେଷ୍ଟ୍ରି ପ୍ରଶ୍ନପତ୍ର ପେପର୍ ସେଟରଙ୍କ ଠାରୁ ହାସଲ କରି କିଛି ଛାତ୍ରଙ୍କୁ ଯୋଗାଇଥିଲେ । ସେହିପରି ତେଜସ ଶାହ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଫିଜିକ୍ସ ପ୍ରଶ୍ନପତ୍ର ପାଇଥିବା ସିବିଆଇ ଦାବି କରିଛି ।
ଏହି ଦୁଇ ଗିରଫଦାରୀ ପରେ ମାମଲାରେ ମୋଟ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି । ପୂରା ନେଟୱାର୍କର ସନ୍ଧାନ ପାଇଁ ସିବିଆଇ ଦେଶର ବିଭିନ୍ନ ୪୯ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ଲାପଟପ୍, ମୋବାଇଲ୍ ଫୋନ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ଜବତ କରାଯାଇଥିବା ବେଳେ, ସେଗୁଡ଼ିକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ମେ’ ୩ ତାରିଖରେ ହୋଇଥିବା ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବିବାଦରେ ଆସିଥିଲା । ପରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପରୀକ୍ଷାକୁ ବାତିଲ କରିଥିଲା । ନୂଆ ସୂଚନା ଅନୁସାରେ, ଆସନ୍ତା ଜୁନ୍ ୨୧ ତାରିଖରେ ପୁଣିଥରେ ନିଟ୍-ୟୁଜି ପରୀକ୍ଷା ଆୟୋଜନ କରାଯିବ ।
