ବିହାରର ପଟନା ଜିଲ୍ଲା ନିକଟସ୍ଥ ଉମାନାଥ ଗଙ୍ଗା ଘାଟରେ ଘଟିଛି ହୃଦୟବିଦାରକ ଡଙ୍ଗା ଦୁର୍ଘଟଣା । ଯାତ୍ରୀବାହୀ ଏକ ଛୋଟ ଡଙ୍ଗା ଗଙ୍ଗା ନଦୀର ମଝିରେ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଗୁରୁବାର ସକାଳେ ଘଟିଥିବା ଏହି ଅଘଟଣ ପରେ ଘାଟ ଅଞ୍ଚଳରେ ଚିତ୍କାର ଓ ଅସ୍ଥିରତାର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଡଙ୍ଗାରେ ମୋଟ ୧୪ ଜଣ ଯାତ୍ରୀ ଥିଲେ । ସେମାନେ ପ୍ରତିଦିନର ଭଳି ଦିଆରା ଅଞ୍ଚଳରେ ଥିବା ଚାଷ ଜମିରୁ ପନିପରିବା ଓ କୃଷିଜାତ ସାମଗ୍ରୀ ନେଇ ନଦୀ ପାର ହେଉଥିଲେ । ଗଙ୍ଗା ନଦୀର ମଝିଭାଗକୁ ପହଞ୍ଚିବା ପରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବାହାର କରିଛନ୍ତି । ଅନ୍ୟ ନିଖୋଜ ଯାତ୍ରୀଙ୍କ ସନ୍ଧାନ ପାଇଁ NDRF ଓ SDRF ଟିମ୍ ସହ ପୋଲିସ ପକ୍ଷରୁ ଜୋରଦାର ତଲାସି ଅଭିଯାନ ଚାଲିଛି ।
ଏହି ଦୁର୍ଘଟଣା ସକାଳ ପ୍ରାୟ ୫ଟା ୪୫ ମିନିଟ୍ ସମୟରେ ଘଟିଥିବା ଜଣାପଡ଼ିଛି । ମୃତକମାନେ ପଟନା ଜିଲ୍ଲାର ବରାହ ଥାନା ଅନ୍ତର୍ଗତ ମସୁମଗଞ୍ଜ ଅଞ୍ଚଳର ବୋଲି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ଥିବାକୁ ମୋହିଉଦ୍ଦିନ ନଗର ସର୍କିଲ୍ ଅଫିସର ବୃଜେଶ କୁମାର ଦ୍ୱିବେଦୀ ସ୍ପଷ୍ଟ କରିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଡଙ୍ଗାଟିରେ ଅତ୍ୟଧିକ ଯାତ୍ରୀ ଥିବା ସହ ମଝି ନଦୀରେ ପ୍ରବଳ ପବନ ଓ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦୁର୍ଘଟଣାର କାରଣ ହୋଇପାରେ । ତେବେ ଡଙ୍ଗା ବୁଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ପଟନା ଓ ବଟାମିପୁର ଜିଲ୍ଲା ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ବେଳେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
