ଆମେରିକାର ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରେ ଅମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ କମ୍ପାନୀର ‘ନ୍ୟୁ ଗ୍ଲେନ୍’ ରକେଟ୍ ପରୀକ୍ଷଣ ସମୟରେ ଲଞ୍ଚ୍ ପ୍ୟାଡ୍ରେ ବିସ୍ଫୋରଣ ଘଟିଛି। ଇଞ୍ଜିନ୍ ଫାୟରିଂ ଟେଷ୍ଟ ସମୟରେ ଏହି ଘଟଣା ଘଟିଥିବାବେଳେ ଆକାଶ ଅଳ୍ପ ସମୟ ପାଇଁ ଲାଲ୍-କମଳା ଆଲୋକରେ ଭରିଯାଇଥିଲା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଘରଗୁଡ଼ିକ ମଧ୍ୟ କମ୍ପିଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ବ୍ଲୁ ଅରିଜିନ ପକ୍ଷରୁ କୁହାଯାଇଛି ଯେ, ଘଟଣାର ସଠିକ୍ କାରଣ ତଦନ୍ତ ଚାଲିଛି। ଜେଫ୍ ବେଜୋସ ‘X’ ମାଧ୍ୟମରେ କହିଛନ୍ତି ଯେ ଏହା ଏକ କଠିନ ଦିନ, କିନ୍ତୁ ଆମେ ପୁନଃ ନିର୍ମାଣ କରି ଆଗକୁ ବଢ଼ିବୁ। ଏହି ରକେଟ୍ ପୂର୍ବରୁ ମଧ୍ୟ ଏପ୍ରିଲ୍ ମାସରେ ପରୀକ୍ଷଣ ସମୟରେ ଇଞ୍ଜିନ୍ ତ୍ରୁଟି ହୋଇ ସମସ୍ୟାରେ ପଡ଼ିଥିଲା।
ନ୍ୟୁ ଗ୍ଲେନ୍ ରକେଟ୍ ନାସାର ଆର୍ଟେମିସ୍ ମିଶନ୍ ପାଇଁ ଚନ୍ଦ୍ର ଅଭିଯାନ ଏବଂ ଉପଗ୍ରହ ଲଞ୍ଚ୍ ପାଇଁ ବିକାଶ କରାଯାଉଛି। ଏହା ସହ ଆମାଜନର ‘ଲିଓ’ ଇଣ୍ଟରନେଟ୍ ସାଟେଲାଇଟ୍ ପ୍ରକଳ୍ପର ଅଂଶ ଭାବେ ଆଗାମୀ ସମୟରେ ମହତ୍ତ୍ୱପୂର୍ଣ୍ଣ ମିଶନ୍ରେ ବ୍ୟବହୃତ ହେବାର ଯୋଜନା ଥିଲା। ଏହି ଘଟଣା ଅନ୍ତରିକ୍ଷ ପ୍ରଯୁକ୍ତି ବିକାଶର ଜଟିଳତାକୁ ପୁଣିଥରେ ପ୍ରମାଣିତ କରିଛି।
