ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ନେଇ ଗୁରୁତର ସମସ୍ୟା ସାମ୍ନାକୁ ଆସିଛି । ଗତ ଦୁଇ ମାସ ହେଲା ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ଟଙ୍କା ପାଇନଥିବା ବେଳେ ବ୍ଲକ୍ ଅଫିସ୍, ପଞ୍ଚାୟତ ଓ ବ୍ୟାଙ୍କ ମଧ୍ୟରେ ଦୌଡ଼ି ଦୌଡ଼ି ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଲୋକେ ।
କୁଚିଣ୍ଡା, ହାଟଡିହି, ଆସିକାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରାଜ୍ୟର ବହୁ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ଯେଉଁ ଲୋକମାନେ ସରକାରୀ ଭତ୍ତା ଉପରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି, ସେମାନେ ଏବେ ଅନଲାଇନ୍ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଚରମ ଦୁର୍ଭୋଗ ଭୋଗୁଛନ୍ତି ।
ସବୁଠାରୁ ଦୁଃଖଦ ଚିତ୍ର କୁଚିଣ୍ଡାର ଚାରଭାଟି ଅଞ୍ଚଳରୁ ସାମ୍ନାକୁ ଆସିଛି । ବୟସର ଅନ୍ତିମ ପର୍ଯ୍ୟାୟରେ ଘରେ ବିଶ୍ରାମ କରିବା ବଦଳରେ ବୃଦ୍ଧବୃଦ୍ଧାମାନେ ଅନଲାଇନ୍ ସେଣ୍ଟର, ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ୍ ଅଫିସ୍କୁ ଚକ୍କର କାଟୁଛନ୍ତି । ହେଲେ ପ୍ରତ୍ୟେକ ସ୍ଥାନରୁ ଏକେ ଉତ୍ତର ମିଳୁଛି— “ଟିପ୍ ଚିହ୍ନ ଓ ଆଖି ସ୍କାନ୍ ମେସିନ୍ ନେଉନାହିଁ ।”
ବୟସାଧିକ୍ୟ କାରଣରୁ ଆଙ୍ଗୁଠିର ରେଖା ସ୍ପଷ୍ଟ ନ ଥିବା ସାଧାରଣ କଥା । କିନ୍ତୁ ଏଥିପାଇଁ ବିକଳ୍ପ ବ୍ୟବସ୍ଥା ନ କରି ହିତାଧିକାରୀଙ୍କୁ ଭତ୍ତାରୁ ବଞ୍ଚିତ କରାଯାଉଥିବାରୁ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ମାସିକ ୩,୫୦୦ ଟଙ୍କା ଭତ୍ତା ଦେବା ପ୍ରତିଶ୍ରୁତି ସହ ସରକାର ଗଠନ କରିଥିବା ବିଜେପି ସରକାର ବର୍ତ୍ତମାନ ଭତ୍ତା ବଣ୍ଟନରେ ଅବ୍ୟବସ୍ଥାକୁ ନେଇ ବିରୋଧୀଙ୍କ ନିଶାନାରେ ଆସିଛି । ଅନେକ ହିତାଧିକାରୀଙ୍କ କହିବା ଅନୁସାରେ, ଦୁଇ ମାସ ହେଲା ଟଙ୍କା ନ ମିଳିବାରୁ ଦୈନନ୍ଦିନ ଜୀବନ ଚଳାଇବା ମୁସ୍କିଲ ହୋଇପଡ଼ିଛି ।
ଡିଜିଟାଲ୍ ବ୍ୟବସ୍ଥାର ନାଁରେ ବୃଦ୍ଧବୃଦ୍ଧାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି । ଏହି ସମସ୍ୟାର ତୁରନ୍ତ ସମାଧାନ ସହ ବିକଳ୍ପ ଯାଞ୍ଚ ବ୍ୟବସ୍ଥା କରିବାକୁ ଦାବି ହେଉଛି ।
