ବରଗଡ଼ PWD ଡିଭିଜନ ଅଧୀନରେ ନିର୍ମିତ ଧନୁଯାତ୍ରା ଗେଟ୍ରେ ଦୁର୍ନୀତି, ନିମ୍ନମାନର କାମ ଓ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି ।
ଗତ ଧନୁଯାତ୍ରା ମହୋତ୍ସବ ସମୟରେ ଥାନା ଛକରେ PWD ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଧନୁଯାତ୍ରା ଗେଟ୍ର ଏକ ଅଂଶ ଭାଙ୍ଗି ପଡ଼ିଥିଲା । ଏହି ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ନୂଆକରି ନିର୍ମାଣ ହୋଇଥିବା ଗେଟ୍ ଅଳ୍ପ ସମୟରେ କ୍ଷତିଗ୍ରସ୍ତ ହେବା ନିମ୍ନମାନର ସାମଗ୍ରୀ ବ୍ୟବହାର ଓ କାର୍ଯ୍ୟରେ ଅବହେଳାକୁ ସୂଚିତ କରୁଥିବା ସାଂସଦ କହିଛନ୍ତି ।
ସାଂସଦ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଗେଟ୍ ନିର୍ମାଣ କାମରେ ଅଫଲାଇନ୍ ଟେଣ୍ଡର ପ୍ରକ୍ରିୟା ଅନୁସରଣ କରାଯାଇଥିଲା, ଯାହା ସନ୍ଦେହ ସୃଷ୍ଟି କରୁଛି । ସରକାରୀ ପାଣ୍ଠିର ଅପବ୍ୟବହାର ସହ ଦୁର୍ନୀତି ହୋଇଥିବା ନେଇ ସେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।
ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ । ଏଭଳି ଘଟଣା କେବଳ ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଉନଥିବା ବେଳେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ କରୁଥିବା ସେ କହିଛନ୍ତି ।
ଚିଠିରେ ସାଂସଦ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନର ରାଜ୍ୟ ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ଘଟଣାର ତୁରନ୍ତ ତଦନ୍ତ ସହ ଦାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
