ସମ୍ବଲପୁର ମହାନଗର ନିଗମରେ ପୁଣି ଦେଖାଦେଇଛି ସଫେଇ ବ୍ୟବସ୍ଥା ସଙ୍କଟ। ମାସ ମାସ ଧରି ଦରମା ମିଳୁନଥିବା ଅଭିଯୋଗରେ ଅଳିଆ ସଂଗ୍ରହ ଗାଡ଼ି ଚାଳକମାନେ ଧାରଣାରେ ବସିଛନ୍ତି। ଝଗଉ କାର୍ଯ୍ୟାଳୟ ସମ୍ମୁଖରେ ଚାଳକମାନଙ୍କ ପ୍ରତିବାଦ ଜାରି ରହିଥିବାବେଳେ ସେମାନେ ବେତନ ବକେୟା ସହ ଅନ୍ୟାୟଭାବେ ଦରମା କାଟ ହେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି।
ପ୍ରତିବାଦ ଫଳରେ ଗତ ଦୁଇ ଦିନ ଧରି ପ୍ରାୟ ୩୦ଟି ଅଳିଆ ସଂଗ୍ରହ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହାର ପ୍ରଭାବ ସହରର ସଫେଇ ବ୍ୟବସ୍ଥା ଉପରେ ପଡ଼ିଥିବାବେଳେ ବିଭିନ୍ନ ଅଞ୍ଚଳରୁ ଅଳିଆ ଉଠୁନଥିବା ଅଭିଯୋଗ ଆସିଛି। ଫଳରେ ସହରର ଅନେକ ସ୍ଥାନରେ ଅଳିଆ ଜମା ହୋଇ ରହିଥିବାରୁ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚାଳକମାନଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ନିୟମିତ ଭାବେ ଦରମା ପ୍ରଦାନ ହେଉନଥିବା ସହ ବିଭିନ୍ନ ଆଳ ଦେଖାଇ ବେତନ କାଟାଯାଉଛି। ଏନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ସେମାନେ ଆନ୍ଦୋଳନ ପଥକୁ ଓହ୍ଲାଇଥିବା କହିଛନ୍ତି।
ଏପଟେ ଘଟଣାକୁ ନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବାବେଳେ ସହରର ସଫେଇ ବ୍ୟବସ୍ଥା ସ୍ୱାଭାବିକ କରିବା ପାଇଁ ପ୍ରଶାସନ କିପରି ପଦକ୍ଷେପ ନେଉଛି, ସେଥିପରେ ସମସ୍ତଙ୍କ ନଜର ରହିଛି।
