ଆଇପିଏଲ୍-୨୦୨୬ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଆଜି ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂହ ଆନ୍ତର୍ଜାତୀୟ ଷ୍ଟାଡିୟମରେ ହେବାକୁଥିବା ଏହି ହାଇ-ଭୋଲଟେଜ୍ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲକୁ ପ୍ରବେଶ କରିବାକୁ ଥିବାବେଳେ ପରାଜିତ ଦଳର ଟୁର୍ଣ୍ଣାମେଣ୍ଟ ଯାତ୍ରା ଏଠିରେ ଶେଷ ହେବ। ସେଥିପାଇଁ ଦୁଇ ଦଳ ପାଇଁ ଏହା ‘କର ବା ମର’ ସ୍ଥିତି ସୃଷ୍ଟି କରିଛି।
ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ୍ ଗିଲଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ରାଜସ୍ଥାନର ଯୁବ ବ୍ୟାଟର ବୈଭବ ସୂର୍ୟବଂଶୀଙ୍କୁ ରୋକିବା। ଏଲିମିନେଟର ମ୍ୟାଚ୍ରେ ବୈଭବଙ୍କ ବିସ୍ଫୋରକ ପାରି ରାଜସ୍ଥାନକୁ ବଡ଼ ସ୍କୋର ଦେଇଥିଲା। ଯଦିଓ ଗୁଜରାଟ ପାଖରେ କାଗିସୋ ରବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ଓ ରାଶିଦ ଖାନଙ୍କ ଭଳି ଶକ୍ତିଶାଳୀ ବୋଲିଂ ଆକ୍ରମଣ ରହିଛି, ତଥାପି ବ୍ୟାଟିଂ ପିଚ୍ରେ ବୈଭବଙ୍କୁ କିପରି ନିୟନ୍ତ୍ରଣ କରିବେ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରୁଛନ୍ତି।
ରାଜସ୍ଥାନ ଶିବିରରେ ଯଶସ୍ୱୀ ଜୟସ୍ୱାଲ, ଧ୍ରୁବ ଜୁରେଲ ଓ ଜୋଫ୍ରା ଆର୍ଚରଙ୍କ ଉପରେ ମଧ୍ୟ ଦଳର ଭରସା ରହିଛି। ଏହି ଖେଳାଳିମାନେ ଯେକୌଣସି ସମୟରେ ମ୍ୟାଚ୍ର ଦିଗ ପରିବର୍ତ୍ତନ କରିପାରନ୍ତି। ଅନ୍ୟପଟେ ଗୁଜରାଟର ବ୍ୟାଟିଂ ପ୍ରାୟତଃ ଶୁଭମନ୍ ଗିଲ, ସାଇ ସୁଦର୍ଶନ ଓ ଜସ୍ ବଟଲରଙ୍କ ଉପରେ ନିର୍ଭର କରୁଛି। ଏହି ତିନି ଜଣ ବିଫଳ ହେଲେ ଦଳର ମଧ୍ୟକ୍ରମ ଚାପରେ ପଡ଼ିପାରେ।
ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳାଯାଇଥିବାବେଳେ ଗୁଜରାଟ ୭ଟି ଓ ରାଜସ୍ଥାନ ୩ଟିରେ ବିଜୟୀ ହୋଇଛି। ମୁଲ୍ଲାନପୁର ପିଚ୍ ବ୍ୟାଟରମାନଙ୍କ ପାଇଁ ସହଜ ମନାଯାଉଥିବାବେଳେ ଗତ କିଛି ମ୍ୟାଚ୍ରେ ଏଠାରେ ୨୦୦ରୁ ଅଧିକ ରନ୍ ସ୍କୋର ହୋଇଛି। ସେହିପରି ଆଜିର ମ୍ୟାଚ୍ରେ ମଧ୍ୟ ରନ୍ ବର୍ଷା ହେବାର ଆଶା ରହିଛି।
ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟାନ୍ସକୁ ୯୨ ରନ୍ରେ ପରାସ୍ତ କରି ସିଧାସଳଖ ଫାଇନାଲକୁ ପ୍ରବେଶ କରିଥିଲା। ସେହିପରି ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୪୭ ରନ୍ରେ ହରାଇ ଦ୍ୱିତୀୟ କ୍ୱାଲିଫାୟରକୁ ପହଞ୍ଚିଥିଲା।
ଏବେ ଦେଖିବାକୁ ବାକି ରହିଲା, ଆଜିର ଏହି ହାଇ-ଭୋଲଟେଜ୍ ମ୍ୟାଚ୍ରେ କେଉଁ ଦଳ ବିଜୟୀ ହୋଇ ଫାଇନାଲର ଟିକେଟ୍ ହାସଲ କରୁଛି।

Total Users : 1000778