ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆହୁରି ବଢ଼ିଛି । ତୈଳ ଦର ବୃଦ୍ଧି ସହ ବସ୍ ଭଡ଼ା ବଢ଼ିଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଏହି ପରିସ୍ଥିତିରେ କେତେକ ବସ୍ ମାଲିକ ଓ କର୍ମଚାରୀ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଯେଉଁ ରୁଟ୍ରେ ପୂର୍ବରୁ ୫୦ ଟଙ୍କା ଭଡ଼ା ନିଆଯାଉଥିଲା, ସେଠାରେ ବର୍ତ୍ତମାନ କେତେକ ବସ୍ରେ ୭୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି । ବସ୍ କର୍ମଚାରୀଙ୍କ ଏଭଳି ମନମୁତାବକ ଭଡ଼ା ଆଦାୟକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବିଭିନ୍ନ ସ୍ଥାନରେ ଏନେଇ ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ମଧ୍ୟରେ ବିବାଦ ଘଟୁଥିବା ଖବର ମଧ୍ୟ ମିଳୁଛି ।
ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କେବଳ ୨ ପ୍ରତିଶତ ବସ୍ ଭଡ଼ା ବୃଦ୍ଧିକୁ ଅନୁମତି ଦିଆଯାଇଛି । ଏହାଠାରୁ ଅଧିକ ଭଡ଼ା ଆଦାୟ କରିବା ସମ୍ପୂର୍ଣ୍ଣ ନିୟମବିରୋଧୀ ବୋଲି ସେ କହିଛନ୍ତି ।
ଏନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିବାରୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ଯାଞ୍ଚ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବସ୍ ମାଲିକ କିମ୍ବା କର୍ମଚାରୀ ଅଧିକ ଭଡ଼ା ନେଇ ଯାତ୍ରୀଙ୍କୁ ଶୋଷଣ କରୁଥିବା ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ସେହିପରି, ଯାତ୍ରୀଙ୍କ ସୁବିଧା ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାରୀ ଧାର୍ଯ୍ୟ ଦର ଅନୁଯାୟୀ ଭଡ଼ା ନେବାକୁ ସମସ୍ତ ବସ୍ ମାଲିକ ସଂଘକୁ ପରିବହନ ବିଭାଗ ପକ୍ଷରୁ ଅପିଲ୍ କରାଯାଇଛି ।
