ତାତିରୁ ମିଳିବ ଆଶ୍ୱସ୍ତି, ଖୁବଶୀଘ୍ର ଓଡ଼ିଶାକୁ ପହଞ୍ଚିବ ମୌସୁମୀ

Table of Content

 ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଆଜି ଏହା ଦକ୍ଷିଣ-ପଶ୍ଚିମ ଆରବ ସାଗରର କିଛି ଅଂଶକୁ ପ୍ରବେଶ କରିଛି, ଯାହା ଫଳରେ ଆଗାମୀ ଦିନରେ ଦେଶରେ ମୌସୁମୀ ଆଗମନ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହା ସହିତ ରାଜ୍ୟରେ ଭୀଷଣ ଗରମରୁ କିଛି ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ ଅନୁମାନ ଅନୁସାରେ, ଜୁନ୍ ପ୍ରଥମ ସପ୍ତାହ ଆସପାସରେ ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ । ଏହାର ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିବ ଏବଂ ତାପମାତ୍ରା କ୍ରମେ ହ୍ରାସ ପାଇବ । ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ପହଞ୍ଚିବା ସମ୍ଭାବନା ରହିଛି, ଯାହା ସାଧାରଣ କିମ୍ବା ସାମାନ୍ୟ ଆଗୁଆ ହୋଇପାରେ ।

ଅନ୍ୟପଟେ, ଆସନ୍ତା ୨୪–୨୫ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଗତି ବାଂଲାଦେଶ କିମ୍ବା ମିଆଁମାର ଦିଗକୁ ରହିପାରେ, ଯାହା ମୌସୁମୀ ଆଗମନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଏହା ପରେ ଉତ୍ତର-ପୂର୍ବ ଭାରତ ଦିଗରେ ମୌସୁମୀ ଆଗକୁ ବଢ଼ିପାରେ ।

ବର୍ତ୍ତମାନ ରାଜ୍ୟରେ ତୀବ୍ର ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ୧୨ଟି ଜିଲ୍ଲାରେ ହିଟୱେଭ୍ ଚେତାବନୀ ଜାରି ହୋଇଛି । ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଦିଆଯାଇଛି ।

ସେହିପରି ଉଷ୍ଣ ଆର୍ଦ୍ର ପରିସ୍ଥିତି ଓ କିଛି ଅଞ୍ଚଳରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ଓ ଝଡ଼ବାତ୍ୟା ସମ୍ଭାବନା ଥିବାରୁ ମଧ୍ୟ ସତର୍କତା ଜାରି କରାଯାଇଛି । ଉପକୂଳ ଅଞ୍ଚଳରେ ଆଗାମୀ ଦିନରେ ତାପମାତ୍ରା କ୍ରମେ କମିପାରେ, କିନ୍ତୁ ପଶ୍ଚିମ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପର୍ଯ୍ୟନ୍ତ ତୀବ୍ର ଗରମ ଜାରି ରହିବ ବୋଲି ଅନୁମାନ କରାଯାଉଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts