ପଶ୍ଚିମବଙ୍ଗରେ ଇଦ୍-ଉଲ-ଅଜହା (ବକରୀଦ) ଛୁଟି ନୀତିରେ ପରିବର୍ତ୍ତନ କରାଯାଇଛି । ନୂଆ ସରକାରୀ ଘୋଷଣା ଅନୁସାରେ, ଏବେଠାରୁ ଏହି ପର୍ବରେ କେବଳ ଗୋଟିଏ ଦିନର ସରକାରୀ ଛୁଟି ଦିଆଯିବ । ପୂର୍ବରୁ ଏହି ପର୍ବ ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ଛୁଟି ଦିଆଯାଉଥିଲା, କିନ୍ତୁ ନୂତନ ନିଷ୍ପତ୍ତିରେ ଏହାକୁ ସୀମିତ କରାଯାଇଛି । ଏହି ପରିବର୍ତ୍ତନ ଚଳିତ ବର୍ଷଠାରୁ ଲାଗୁ ହେବାକୁ ଯାଉଛି, ଯେଉଁଥିରେ ପର୍ବ ପରଦିନ ସାଧାରଣ କାର୍ଯ୍ୟଦିନ ଭାବେ ଚାଲିବ ।
ସରକାରୀ ନିଷ୍ପତ୍ତି ପରେ ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସମସ୍ତ ପର୍ବପର୍ବାଣୀରେ ଆଇନ ଶୃଙ୍ଖଳା ଓ ସାଧାରଣ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଏହି ସହ ଖୋଲା ସ୍ଥାନ, ରାସ୍ତା ଓ ସାର୍ବଜନୀନ ଅଞ୍ଚଳରେ ପଶୁ ବଳି ନେଇ କଡ଼ା ନିୟମ ରହିବ ବୋଲି ମଧ୍ୟ ସୂଚନା ମିଳିଛି ।
ଏହାସହ ପଶୁ ବଳି ସମ୍ପର୍କିତ ଆଇନଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ଆହ୍ୱାନ କରିଛି । ବଳି ପାଇଁ ପଶୁର ଫିଟନେସ୍ ସାର୍ଟିଫିକେଟ୍ ଆବଶ୍ୟକ ଥିବା ସହ ଅସୁସ୍ଥ କିମ୍ବା ଅନୁପଯୁକ୍ତ ପଶୁଙ୍କୁ ବଳି ଦେବା ଉପରେ ନିଷେଧ ରହିଛି । ସମସ୍ତ ଧାର୍ମିକ ପ୍ରଥା ପାଳନ ସମୟରେ ସ୍ୱଚ୍ଛତା ଓ ଆଇନ ନିୟମ ମାନିବାକୁ ସମ୍ବନ୍ଧିତ ସଂଗଠନମାନେ ମଧ୍ୟ ଆହ୍ୱାନ କରିଛନ୍ତି ।
