ଓଡ଼ିଶା ବିକାଶକୁ ନୂଆ ଗତି: ୮,୩୦୦ କୋଟିର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
ଓଡ଼ିଶାର ପାଇଁ ଆସିଛି ଏକ ବଡ଼ ବିକାଶମୂଳକ ଖବର। ରାଜ୍ୟର ଅର୍ଥନୀତି, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ଦେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ଏହି ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରରୁ ଆରମ୍ଭ ହୋଇ କୋଣାର୍କ ଦେଇ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହେବ। ପ୍ରକଳ୍ପର ମୋଟ ଲମ୍ବ ପ୍ରାୟ ୧୬୩ କିଲୋମିଟର ହେବାକୁ ଥିବାବେଳେ ଏଥିପାଇଁ ୮,୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅନୁମୋଦନ କରାଯାଇଛି।
ଏହି ମହତ୍ୱାକାଙ୍କ୍ଷୀ ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଆଧୁନିକ ସଡ଼କ ଯୋଗାଯୋଗ ସହିତ ସଂଯୋଗ କରିବ। ବିଶେଷକରି ପାରାଦୀପ ବନ୍ଦର ସହ ଯାତାୟାତ ଅଧିକ ସୁଗମ ହେବା ସହ ମାଲ ପରିବହନ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ବଡ଼ ପ୍ରୋତ୍ସାହନ ମିଳିବ। ଏଥିସହ ଗମନାଗମନ ସମୟ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି।
ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ହାଇୱେ ଉପକୂଳ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ମଧ୍ୟ ନୂଆ ଉଚ୍ଚତାକୁ ନେବ। କୋଣାର୍କ, ପୁରୀ ଓ ପାରାଦୀପ ଭଳି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ମଧ୍ୟରେ ଉନ୍ନତ ସଡ଼କ ସଂଯୋଗ ହେବା ଫଳରେ ପର୍ଯ୍ୟଟକଙ୍କ ଯାତାୟାତ ଆହୁରି ସହଜ ହେବ।
ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏହାକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯାଇଛି। ପ୍ରଥମ ପ୍ୟାକେଜ୍ରେ ରାମେଶ୍ୱରରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪ ଲେନ୍ ବିଶିଷ୍ଟ ହାଇୱେରେ ପରିଣତ କରାଯିବ। ସେହିପରି ଦ୍ୱିତୀୟ ପ୍ୟାକେଜ୍ରେ କାକଟପୁରରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରାସ୍ତାକୁ ୨ ଲେନ୍ ବିଶିଷ୍ଟ ସଡ଼କ ଭାବେ ବିକଶିତ କରାଯିବ।
ଏହି ପ୍ରକଳ୍ପକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କହିବାନୁସାରେ, ଏହି କୋଷ୍ଟାଲ ହାଇୱେ ଓଡ଼ିଶାର ଆର୍ଥିକ ବିକାଶ, ଶିଳ୍ପାୟନ, ପର୍ଯ୍ୟଟନ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ “ଗେମ୍-ଚେଞ୍ଜର” ସାବ୍ୟସ୍ତ ହେବ।
ଉପକୂଳ ଅଞ୍ଚଳର ସମନ୍ୱିତ ବିକାଶ ପାଇଁ ଏହି ପ୍ରକଳ୍ପକୁ ଓଡ଼ିଶାର ଭବିଷ୍ୟତ ଅର୍ଥନୈତିକ ପ୍ରଗତିର ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି। ଏହା କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ, ବରଂ ଉପକୂଳ ଓଡ଼ିଶାର ବିକାଶ ଓ ସମୃଦ୍ଧିର ନୂଆ ଦ୍ୱାର ଖୋଲିବାକୁ ଯାଉଥିବା ଏକ ଐତିହାସିକ ପଦକ୍ଷେପ।
