ସୁନ୍ଦରଗଡ଼ରେ ବାଲି ମାଫିଆଙ୍କ ଦବଙ୍ଗଗିରି, ଜବତ ୬ଟି ଗାଡ଼ି ଛଡ଼ାଇ ନେଲେ

Table of Content

ସୁନ୍ଦରଗଡ଼ରେ ପୁଣି ଥରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ଚୋରା ବାଲି ଚାଲାଣ ରୋକିବାକୁ ଯାଇଥିବା ପୁଲିସ ଓ ଖଣି ବିଭାଗ (ମାଇନିଂ) ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଅମଲିପାଲି ନିକଟସ୍ଥ ଇବ ନଦୀ ବାଲିଘାଟରେ ଘଟିଛି।

ସୂଚନା ଅନୁଯାୟୀ, ଇବ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ପୁଲିସ ଓ ଖଣି ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଏକ ମିଳିତ ଟିମ୍ ସକାଳୁ ବାଲିଘାଟରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବେଆଇନ ବାଲି ବୋଝେଇ କରୁଥିବା ଏକାଧିକ ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା।

ତେବେ ଏହି ସମୟରେ କିଛି ବାଲି ମାଫିଆ ଓ ସେମାନଙ୍କ ସମର୍ଥକମାନେ ଏକତ୍ରିତ ହୋଇ ମାଇନିଂ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଧିକାରୀମାନଙ୍କୁ ଭୟଭୀତ କରି ଜବତ ହୋଇଥିବା ଅଧିକାଂଶ ଗାଡ଼ିକୁ ଘଟଣାସ୍ଥଳରୁ ଛଡ଼ାଇ ନେବାରେ ମାଫିଆମାନେ ସଫଳ ହୋଇଥିଲେ।

ପ୍ରାରମ୍ଭିକ ସୂଚନା ଅନୁସାରେ, ମୋଟ ୬ଟି ବାଲି ବୋଝେଇ ଗାଡ଼ିକୁ ଅଟକାଯାଇଥିବା ବେଳେ ମାଫିଆମାନେ ସେଥିରୁ ୫ଟି ଗାଡ଼ି ଛଡ଼ାଇ ନେଇଥିଲେ। ତେବେ ପୁଲିସ ଗୋଟିଏ ଗାଡ଼ିକୁ ଜବତ କରିବାରେ ସକ୍ଷମ ହୋଇଛି।

ଘଟଣାକୁ ନେଇ ଜୁନିୟର ମାଇନିଂ ଅଫିସର ସୁନ୍ଦରଗଡ଼ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି।

ଏହି ଘଟଣା ପୁଣିଥରେ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ବାଲି ମାଫିଆଙ୍କ ପ୍ରଭାବ ଓ ଦୌରାତ୍ମ୍ୟକୁ ପଦାରେ ପକାଇଛି। ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ବେଆଇନ ବାଲି କାରବାର ଉପରେ ରୋକ ଲଗାଇବାକୁ କଡ଼ା ପଦକ୍ଷେପ ଦାବି ହେଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts