ଉତ୍ତରାଖଣ୍ଡରେ ବଡ଼ ଟ୍ରେନ୍ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଉଜ୍ଜୟିନୀ ଏକ୍ସପ୍ରେସ୍ର ୩ କୋଚ୍
ଉତ୍ତରାଖଣ୍ଡର ଋଷିକେଶ ନିକଟସ୍ଥ ଯୋଗନଗରୀ ରେଳଷ୍ଟେସନରେ ଘଟିଛି ଏକ ଭୟାବହ ଟ୍ରେନ୍ ଦୁର୍ଘଟଣା। ଲକ୍ଷ୍ମୀବାଇ ନଗରରୁ ଋଷିକେଶ ଆସୁଥିବା ୧୪୩୦୯ ଉଜ୍ଜୟିନୀ ଏକ୍ସପ୍ରେସ୍ର ୩ଟି କୋଚ୍ ହଠାତ୍ ଲାଇନଚ୍ୟୁତ ହୋଇପଡ଼ିଥିଲା। ଘଟଣା ସମୟରେ କୋଚ୍ଗୁଡ଼ିକରେ ଯାତ୍ରୀ ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
ରାତି ସମୟରେ ଟ୍ରେନ୍ଟି ଷ୍ଟେସନକୁ ପ୍ରବେଶ କରୁଥିବାବେଳେ ହଠାତ୍ ଜୋର ଝଟକା ଲାଗିଥିଲା। ଏହାପରେ ୩ଟି କୋଚ୍ ଲାଇନରୁ ଖସି ଯାଇଥିଲା ଏବଂ କେତେକ ବୋଗିର ଅଂଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, କେତେକ କୋଚ୍ ମଝିରୁ ବାଙ୍କି ଯାଇଥିବା ଦେଖାଯାଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ଟ୍ରେନ୍ର ଗତି ଅଧିକ ଥିବା ସନ୍ଦେହ କରାଯାଉଛି। ତେବେ ଟ୍ରାକ୍ରେ ତ୍ରୁଟି ନା କୌଣସି ଯାନ୍ତ୍ରିକ ସମସ୍ୟା ଏହାର କାରଣ, ସେନେଇ ରେଳବାଇ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।
ଦୁର୍ଘଟଣାର ଖବର ପାଇବା ପରେ ବରିଷ୍ଠ ରେଳ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲାଇନଚ୍ୟୁତ କୋଚ୍ଗୁଡ଼ିକୁ ପୁଣି ଟ୍ରାକ୍ରେ ଆଣିବା ସହ ରେଳ ସେବା ସାଧାରଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।
ଗତ କିଛି ଦିନ ଧରି ଲଗାତାର ରେଳ ଦୁର୍ଘଟଣା ଘଟୁଥିବାରୁ ଯାତ୍ରୀମାନଙ୍କ ମନରେ ଭୟର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣା ପରେ ରେଳ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
