କଙ୍ଗୋରେ ଇବୋଲାର ଭୟାବହ ସ୍ଥିତି, ୧୧୮ ମୃତ; ଆକ୍ରାନ୍ତ ହେଲେ ଆମେରିକୀୟ ଡାକ୍ତର
ଆଫ୍ରିକୀୟ ଦେଶ କଙ୍ଗୋରେ ଇବୋଲା ଭାଇରସ୍ର ଦୁର୍ଲଭ ‘ବୁଣ୍ଡିବୁଗ୍ୟୋ’ ଷ୍ଟ୍ରେନ୍ ଦ୍ରୁତ ଗତିରେ ପ୍ରସାରିତ ହେଉଥିବାବେଳେ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ିଛି। ଏପର୍ଯ୍ୟନ୍ତ ୧୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରିସ୍ଥିତି ଗମ୍ଭୀର ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀ ସତର୍କତା ଜାରି କରିଛି।
ସବୁଠାରୁ ଚିନ୍ତାଜନକ ଘଟଣା ହେଲା, ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ଆମେରିକୀୟ ଡାକ୍ତର ମଧ୍ୟ ଏହି ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। କଙ୍ଗୋର ଇତୁରି ଅଞ୍ଚଳରେ ସେବା ଦେବା ସମୟରେ ରୋଗୀଙ୍କ ସଂସ୍ପର୍ଶରୁ ସଂକ୍ରମଣ ହୋଇଥିବା କୁହାଯାଉଛି। ଏହାସହ ୬ ଜଣ ଆମେରିକୀୟ ନାଗରିକଙ୍କୁ ମଧ୍ୟ ନଜରଦାରୀରେ ରଖାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କଙ୍ଗୋର ଇତୁରି ଓ ନର୍ଥ କିଭୁ ଅଞ୍ଚଳରେ ୩୦୦ରୁ ଅଧିକ ସନ୍ଦେହଜନକ ମାମଲା ଚିହ୍ନଟ ହୋଇଛି। ପଡୋଶୀ ଉଗାଣ୍ଡାରେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭରେ ସାଧାରଣ ଜ୍ୱର ଭାବି ଅନେକ ଲୋକ ଅବହେଳା କରିଥିଲେ, କିନ୍ତୁ ପରେ ଏହା ଦୁର୍ଲଭ ଇବୋଲା ଷ୍ଟ୍ରେନ୍ ବୋଲି ପ୍ରମାଣିତ ହେବା ପରେ ଆତଙ୍କ ବଢ଼ିଯାଇଛି।
କଙ୍ଗୋର ବୁନିଆ, ଗୋମା, ମୋଙ୍ଗୱାଲୁ, ବୁଟେମ୍ବୋ ଓ ନ୍ୟାକୁଣ୍ଡେ ଅଞ୍ଚଳରେ ଭାଇରସ୍ର ପ୍ରଭାବ ଅଧିକ ଦେଖାଯାଇଛି। ସରକାର ପକ୍ଷରୁ ୩ଟି ବିଶେଷ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। WHO ମଧ୍ୟ ଚିକିତ୍ସା ସାମଗ୍ରୀ ଓ ବିଶେଷଜ୍ଞ ଟିମ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଇଛି।
ସୂଚନା ଅନୁସାରେ, ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ରୁ ୩୯ ବର୍ଷ ମଧ୍ୟରେ ଥିବାବେଳେ, ୬୦ ଶତାଂଶରୁ ଅଧିକ ମହିଳା ଏହି ସଂକ୍ରମଣରେ ପୀଡ଼ିତ।
‘ବୁଣ୍ଡିବୁଗ୍ୟୋ’ ଷ୍ଟ୍ରେନ୍ ହେଉଛି ଇବୋଲାର ଏକ ଦୁର୍ଲଭ ରୂପ। ଏହା ରକ୍ତ, ବାନ୍ତି, ଶରୀରର ଅନ୍ୟାନ୍ୟ ତରଳ ପଦାର୍ଥ ମାଧ୍ୟମରେ ଖୁବ ଶୀଘ୍ର ସଂକ୍ରମିତ ହୁଏ। ଜ୍ୱର, ମୁଣ୍ଡବଥା, ଶରୀରବଥା, ବାନ୍ତି ଓ ଦୁର୍ବଳତା ଏହାର ପ୍ରମୁଖ ଲକ୍ଷଣ। ବର୍ତ୍ତମାନ ସୁଦ୍ଧା ଏହା ପାଇଁ ସଂପୂର୍ଣ୍ଣ ପ୍ରଭାବଶାଳୀ ଔଷଧ କିମ୍ବା ଟିକା ସହଜରେ ଉପଲବ୍ଧ ନାହିଁ।
