ଦକ୍ଷିଣ ପଶ୍ଚିମ ମନସୁନ ଧୀରେଧୀରେ ଭାରତ ମୁହାଁ ହେଉଛି । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରେ ମନସୁନ ବାତାସ ପହଞ୍ଚି ସାରିଛି । ନିକୋବାର ଦ୍ୱୀପପୁଞ୍ଜର ସମସ୍ତ ଅଞ୍ଚଳ ସହ ଆଣ୍ଡାମାନର କିଛି ଅଂଶରେ ମନସୁନର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ମନସୁନ ଆଗକୁ ବଢ଼ୁଛି ।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏବେର ପରିସ୍ଥିତି ମନସୁନର ଅଗ୍ରଗତି ପାଇଁ ଅନୁକୂଳ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ମନସୁନ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ।
ଏପଟେ କେରଳରେ ମଧ୍ୟ ମନସୁନର ଆଗମନ ନେଇ ପୂର୍ବାନୁମାନ କରାଯାଇଛି । IMDର ଆକଳନ ଅନୁଯାୟୀ, ମେ ୨୬ ତାରିଖ ସୁଦ୍ଧା ମନସୁନ କେରଳ ଛୁଇଁପାରେ । ଏବର୍ଷ ମନସୁନ ସାଧାରଣ ସମୟଠାରୁ କିଛି ଆଗରୁ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବରୁ ଇଙ୍ଗିତ ଦେଇଥିଲା ।
ଅନ୍ୟପଟେ, ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତର ଅନେକ ଅଞ୍ଚଳରେ ତାପପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ତୀବ୍ର ଗରମ ଲୋକଙ୍କ ଦୁର୍ଭୋଗକୁ ଆହୁରି ବଢ଼ାଇପାରେ ।
