ହାଣ୍ଟା ଭାଇରସ୍କୁ ନେଇ ବଢ଼ିଲା ଚିନ୍ତା, ସତର୍କ କଲା WHO
ବିଶ୍ୱରେ ପୁଣି ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହାଣ୍ଟା ଭାଇରସ୍କୁ ନେଇ ବିଜ୍ଞାନୀ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକାଶ କରିଛନ୍ତି। ଏହି ଭାଇରସ୍ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ତଥ୍ୟ ସ୍ପଷ୍ଟ ନଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ ସତର୍କ ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ, MV Hondius ନାମକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ସଂକ୍ରମଣ ଚିହ୍ନଟ ହେବା ପରେ ପରିସ୍ଥିତି ଗମ୍ଭୀର ହୋଇଛି। ଏପର୍ଯ୍ୟନ୍ତ ୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଭାରତୀୟ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ଏବଂ ସେମାନେ ନେଦରଲ୍ୟାଣ୍ଡରେ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।
ବିଜ୍ଞାନୀମାନଙ୍କ ମତରେ, ଏହି ଭାଇରସ୍ କେବଳ ଇଁଦୁର ବା ବାୟୁ ମାଧ୍ୟମରେ ନୁହେଁ, ଶରୀରର ବିଭିନ୍ନ ତରଳ ପଦାର୍ଥ ମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇପାରେ। ମାତୃଦୁଗ୍ଧ ଓ ଶାରୀରିକ ସମ୍ପର୍କ ମାଧ୍ୟମରେ ସଂକ୍ରମଣ ହେବାର ଆଶଙ୍କାକୁ ନେଇ ବିଶେଷ ଚିନ୍ତା ବଢ଼ିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଭାଇରସ୍ ଆକ୍ରାନ୍ତ ବ୍ୟକ୍ତି କେତେ ଦିନ ପର୍ଯ୍ୟନ୍ତ ଅନ୍ୟକୁ ସଂକ୍ରମିତ କରିପାରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।
WHO ବର୍ତ୍ତମାନ ଏହି ଭାଇରସ୍କୁ ନେଇ ବିଶେଷ ଅଧ୍ୟୟନ ଆରମ୍ଭ କରିଛି। ବିଭିନ୍ନ ଦେଶର ବିଜ୍ଞାନୀମାନେ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ଭାଇରସ୍ର ଜୀବନଚକ୍ର ଓ ପ୍ରସାର ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରୁଛନ୍ତି।
ହାଣ୍ଟା ଭାଇରସ୍ ସଂକ୍ରମଣ ପରେ ପ୍ରଥମେ ଜ୍ୱର, ଥଣ୍ଡା, ଶରୀର ବିଥା, ଦୁର୍ବଳତା, ବାନ୍ତି ଓ ଡାୟେରିଆ ପରି ଲକ୍ଷଣ ଦେଖାଯାଏ। ପରେ ଶ୍ୱାସକଷ୍ଟ, ଶୁଖିଲା କାଶ ଓ ଲୋ ବ୍ଲଡ୍ ପ୍ରେସର ଭଳି ଗୁରୁତର ସମସ୍ୟା ହୋଇପାରେ।
WHO ସମସ୍ତଙ୍କୁ ସ୍ୱଚ୍ଛତା ରକ୍ଷା କରିବା, ସଂକ୍ରମିତ ବ୍ୟକ୍ତିଙ୍କ ସହ ସତର୍କତାର ସହ ମିଶିବା ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ନେବାକୁ ପରାମର୍ଶ ଦେଇଛି।
