ଦେଶବ୍ୟାପୀ ମୌସୁମୀ ବର୍ଷା ଏବେ ଉଗ୍ର ରୂପ ଧାରଣ କରିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ତିନି ଦିନ ପାଇଁ ଦେଶର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସହ ପଶ୍ଚିମୀ ବିଶୃଙ୍ଖଳାର ପ୍ରଭାବରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇପଡ଼ିଛି। ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଲଦାଖ, ଛତିଶଗଡ଼ ସମେତ ଅନେକ ରାଜ୍ୟରେ ମୂଷଳଧାରା ବର୍ଷା, ବଜ୍ରପାତ ଓ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ ବୋଲି IMD ସୂଚନା ଦେଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୩୧ ପର୍ଯ୍ୟନ୍ତ ଉତ୍ତର ଭାରତରେ ମୌସୁମୀ ବର୍ଷାର ପ୍ରଭାବ ଜାରି ରହିବ। ବିଶେଷକରି ଆଗାମୀ ତିନି ଦିନ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ନଦୀରେ ଜଳସ୍ତର ବୃଦ୍ଧି, ହଠାତ୍ ବନ୍ୟା ଏବଂ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ସମତଳ ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ଜଳଜମା ଏବଂ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ସମ୍ଭାବନା ମଧ୍ୟ ରହିଛି।
ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମଧ୍ୟ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଚାଷ ଜମିରେ ପାଣି ଜମି ରହିବା ଏବଂ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ କୃଷକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ କମ୍ ରହିବାକୁ ଥିବା ବେଳେ ହରିୟାଣା ଓ ପଞ୍ଜାବରେ ଜୁଲାଇ ୨୮ ଓ ୨୯ ତାରିଖରୁ ପୁଣି ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପଞ୍ଚକୁଲା, ଅମ୍ବାଲା, କୁରୁକ୍ଷେତ୍ର ଏବଂ ଏନସିଆର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ।
ଦିଲ୍ଲୀ-ଏନସିଆରରେ ମଧ୍ୟ ପାଗରେ ବଡ଼ ପରିବର୍ତ୍ତନ ଦେଖାଯିବ। IMD ଅନୁଯାୟୀ, ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଫଳରେ ଗଛ ଉପୁଡ଼ି ପଡ଼ିବା, ବିଦ୍ୟୁତ୍ ସେବା ବ୍ୟାହତ ହେବା, ଜଳଜମା ଓ ଟ୍ରାଫିକ୍ ଜାମ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ସହରବାସୀଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଅନାବଶ୍ୟକ ବାହାରକୁ ନଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଏହି ଲଗାଣ ବର୍ଷାର ପ୍ରଭାବ କେବଳ ସାଧାରଣ ଜନଜୀବନ ଉପରେ ନୁହେଁ, କୃଷି, ପରିବହନ, ବିଦ୍ୟୁତ୍ ଯୋଗାଣ ଓ ଜରୁରୀକାଳୀନ ସେବା ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଅନେକ ଅଞ୍ଚଳରେ ନଦୀର ଜଳସ୍ତର ବଢ଼ିପାରେ ଏବଂ ନିମ୍ନାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ସ୍ଥାନୀୟ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏବଂ ସାଧାରଣ ଲୋକଙ୍କୁ ସତର୍କ ରହିବା, ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବା ଏବଂ ବିପଦପୂର୍ଣ୍ଣ ସ୍ଥାନକୁ ଯିବାରୁ ବିରତ ରହିବାକୁ IMD ପରାମର୍ଶ ଦେଇଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଦେଶର ବହୁ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବାର ସମ୍ଭାବନା ଥିବାରୁ ସମସ୍ତଙ୍କୁ ସତର୍କ ଏବଂ ସଚେତନ ରହିବା ନିହାତି ଆବଶ୍ୟକ।

Total Users : 1000779