ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବିଭିନ୍ନ ତ୍ରୁଟିକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦଶହରା ପୂଜା ପରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ, ଗୁଣାତ୍ମକ ଏବଂ ମାନସମ୍ମତ ପାଠ୍ୟପୁସ୍ତକ ଯୋଗାଇ ଦେବା ଲକ୍ଷ୍ୟରେ ଏସସିଇଆରଟି ତ୍ରୁଟି ସଂଶୋଧନ ପାଇଁ ଟେଣ୍ଡର ଆହ୍ୱାନ କରିଛି। ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବା ପରେ ଜୁଲାଇ ୨୭ ତାରିଖ ପୂର୍ବାହ୍ନ ସାଢେ ୧୧ଟାରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଟେକ୍ନିକାଲ ବିଡ୍ ଖୋଲାଯିବ। ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ-୨୦୨୩ ଅନୁଯାୟୀ ସର୍ବନିମ୍ନ ମୂଲ୍ୟ ପ୍ରସ୍ତାବ ଦେଇଥିବା ଯୋଗ୍ୟ ସଂସ୍ଥାକୁ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯିବ।
ଟେଣ୍ଡର ସର୍ତ୍ତାବଳୀ ଅନୁଯାୟୀ ଚୟନିତ ସଂସ୍ଥାକୁ ଏସସିଇଆରଟିର କରିକୁଲମ୍ ଡେଭେଲପମେଣ୍ଟ ସେଲ୍ରୁ ସମସ୍ତ ପାଠ୍ୟପୁସ୍ତକର ହାର୍ଡ କପି ଏବଂ ଡିଜିଟାଲ କପି ସଂଗ୍ରହ କରିବାକୁ ହେବ। କାର୍ଯ୍ୟାଦେଶ ପାଇବାର ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ ସଂଶୋଧନ କାର୍ଯ୍ୟ ଶେଷ କରିବା ସହ ଚୁକ୍ତି ସ୍ୱାକ୍ଷରର ସାତ ଦିନ ମଧ୍ୟରେ ପ୍ରଥମ ସଂଶୋଧିତ ଡ୍ରାଫ୍ଟ ବିଶେଷଜ୍ଞ କମିଟିଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ବିଶେଷଜ୍ଞଙ୍କ ସମୀକ୍ଷା ପରେ ଦ୍ୱିତୀୟ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ଚୂଡ଼ାନ୍ତ ଅନୁମୋଦନ ଦିଆଯିବ। ପ୍ରକାଶନର ମାନ ଉନ୍ନତ କରିବା ପାଇଁ ପୁସ୍ତକର ଭିତର ପୃଷ୍ଠାରେ ୮୦ ଜିଏସଏମ ମ୍ୟାପଲିଥୋ କାଗଜ ଏବଂ କଭର ପୃଷ୍ଠାରେ ୨୨୦ ଜିଏସଏମ ଉଚ୍ଚମାନର କାଗଜ ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
ସମ୍ପ୍ରତି ପଞ୍ଚମ ଶ୍ରେଣୀର ଇଂରାଜୀ ପାଠ୍ୟପୁସ୍ତକ ‘PALLAVI’ରେ ଓଡ଼ିଆ ରଜଦୋଳି ଗୀତ ପ୍ରକାଶ ପାଇବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ପୁସ୍ତକର ୧୩୩ ନମ୍ବର ପୃଷ୍ଠାରେ ଏହି ତ୍ରୁଟି ଧରାପଡ଼ିବା ପରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ବ୍ୟାପକ ସମାଲୋଚନା ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ସମସ୍ତ ତ୍ରୁଟିକୁ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଚାରିଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଜବାବଦେହିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
ଏହି ଅନିୟମିତତାର ତଦନ୍ତ ଭାର ବର୍ତ୍ତମାନ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏସସିଇଆରଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତା (BNS)-୨୦୨୩ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ତତ୍ତ୍ୱାବଧାନରେ ଡିଏସ୍ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ମାମଲାର ମୁଖ୍ୟ ତଦନ୍ତକାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ବ୍ୟାପକ ଓ ନିରପେକ୍ଷ ତଦନ୍ତ ପାଇଁ ଏକାଧିକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ଅନୁମୋଦନ ଓ ପ୍ରକାଶନ ପ୍ରକ୍ରିୟାରେ କେଉଁ ସ୍ତରରେ ତ୍ରୁଟି ଘଟିଛି ଏବଂ ଏଥିପାଇଁ କିଏ ଦାୟୀ, ସେନେଇ ଗଭୀର ତଦନ୍ତ ଚାଲିଛି।
ଶିକ୍ଷା କେବଳ ପାଠପଢ଼ାର ମାଧ୍ୟମ ନୁହେଁ, ବରଂ ଭବିଷ୍ୟତ ପିଢ଼ିର ଜ୍ଞାନ, ଚରିତ୍ର ଓ ଚିନ୍ତାଧାରାର ମୂଳଦୁଆ। ତେଣୁ ପାଠ୍ୟପୁସ୍ତକରେ ସାମାନ୍ୟ ତ୍ରୁଟି ମଧ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି କାରଣରୁ ରାଜ୍ୟ ସରକାର ଏବଂ ଏସସିଇଆରଟି ଏଥର ଗୁଣାତ୍ମକ ମାନ, ସଠିକତା ଓ ସ୍ୱଚ୍ଛତାକୁ ସର୍ବାଧିକ ପ୍ରାଥମିକତା ଦେଇ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାକୁ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଦଶହରା ପରେ ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚିବାକୁ ଥିବା ନୂତନ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ, ଗୁଣାତ୍ମକ ଓ ଶିକ୍ଷାନୁକୂଳ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Total Users : 1000778