ଜୀବନର ପ୍ରତ୍ୟେକ ଦିନ ଦାରିଦ୍ର୍ୟ ସହ ସଂଘର୍ଷ କରି ପରିବାରର ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଥିବା ପାରାଦୀପ ୬ ନମ୍ବର ୱାର୍ଡ ବାଲିଝରା ଅଞ୍ଚଳର ସନ୍ତୋଷ ହାଲଦାର ଆଜି ନିଜେ ଜୀବନ-ମୃତ୍ୟୁର ଲଢ଼େଇ ଲଢ଼ୁଛନ୍ତି। ବାଲିପ୍ଲଟ ଅଞ୍ଚଳରେ ମାଛ ବିକ୍ରି କରି ସେ ଦୈନିକ ରୋଜଗାରରେ ନିଜ ପରିବାରର ଭରଣପୋଷଣ କରୁଥିଲେ। ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହେବା ପରେ ତାଙ୍କ ଜୀବନରେ ନେମି ଆସିଛି ଅନ୍ଧକାର।
ବର୍ତ୍ତମାନ ସେ ମେଡିକାଲ ବେଡ୍ରେ ଚିକିତ୍ସାଧୀନ ଥିବାବେଳେ ପରିବାର ଆର୍ଥିକ ସଙ୍କଟରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ସରକାରୀ ସ୍ୱାସ୍ଥ୍ୟ କାର୍ଡର ସମସ୍ତ ସୁବିଧା ବ୍ୟବହୃତ ହୋଇ ସାରିଥିବାରୁ ଆଗାମୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପରିବାର ପକ୍ଷରେ ଅସମ୍ଭବ ହୋଇପଡ଼ିଛି।
ଘରେ ଛୋଟ ଛୋଟ ପିଲା ଥିବା ସହ ସନ୍ତୋଷ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ଅସୁସ୍ଥତା ସମଗ୍ର ପରିବାରକୁ ଦୁର୍ଦ୍ଦଶାରେ ପକାଇଛି। ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ସହ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ପରିବାର ସଦସ୍ୟମାନେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି, ରେଡକ୍ରସ୍ ଏବଂ ସମାଜର ସହୃଦୟ ବ୍ୟକ୍ତିମାନଙ୍କୁ ଆର୍ଥିକ ଓ ଚିକିତ୍ସା ସହାୟତା ପାଇଁ ହୃଦୟବିଦାରକ ଆବେଦନ କରିଛନ୍ତି। ଅଞ୍ଚଳବାସୀମାନେ ମଧ୍ୟ ତୁରନ୍ତ ସରକାରୀ ସହାୟତା କିମ୍ବା ରେଡକ୍ରସ୍ ଫଣ୍ଡରୁ ଆବଶ୍ୟକ ଅର୍ଥ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ସମୟୋପଯୋଗୀ ସହାୟତା ମିଳିଲେ ସନ୍ତୋଷଙ୍କ ଚିକିତ୍ସା ଜାରି ରହିବା ସହ ତାଙ୍କ ଜୀବନ ବଞ୍ଚିପାରିବ ବୋଲି ପରିବାର ଆଶା ରଖିଛି।
ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ବରଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଗୁରୁତର ରୋଗ ସମୟରେ କେଉଁଭଳି ଅସହାୟ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତାହାର ଏକ ମାର୍ମିକ ଉଦାହରଣ। ସମାଜର ସମସ୍ତ ସହୃଦୟ ବ୍ୟକ୍ତି ଏବଂ ସରକାରୀ ପ୍ରଶାସନ ଆଗକୁ ଆସି ସନ୍ତୋଷ ହାଲଦାରଙ୍କ ଜୀବନ ରକ୍ଷାରେ ସହଯୋଗର ହାତ ବଢ଼ାଇବାକୁ ତାଙ୍କ ପରିବାର ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Total Users : 1000778