କଳାହାଣ୍ଡି:
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଭାଟିପଡା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗିରହିଥିବା ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅନୁମୋଦିତ ଦୁଇଟି ଶିକ୍ଷକ ପଦବୀ ମଧ୍ୟରୁ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବାରୁ ସମଗ୍ର ପାଠପଢ଼ାର ଦାୟିତ୍ୱ ଜଣେ ମାତ୍ର ଶିକ୍ଷକଙ୍କ ଉପରେ ନ୍ୟସ୍ତ ହୋଇଛି। ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପାଠପଢ଼ାର ଗୁଣବତ୍ତା ଏବଂ ଶ୍ରେଣୀକକ୍ଷ ପରିଚାଳନା ଉପରେ ପଡ଼ୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଣେ ଶିକ୍ଷକଙ୍କ ପକ୍ଷରେ ଏକାସାଙ୍ଗରେ ପାଞ୍ଚଟି ଶ୍ରେଣୀର ପାଠପଢ଼ା ସଠିକ୍ ଭାବେ ପରିଚାଳନା କରିବା ସମ୍ଭବ ହେଉନାହିଁ। ଫଳରେ ଅନେକ ଛାତ୍ରଛାତ୍ରୀ ନିୟମିତ ପାଠଦାନରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ପିଲାମାନଙ୍କ ଶିକ୍ଷାଗତ ଭିତ୍ତି ଦୁର୍ବଳ ହେବା ସହ ସେମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀମାନେ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଭେଟି ତୁରନ୍ତ ଜଣେ ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ମତରେ, ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେଲେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଆହୁରି ବିପର୍ଯ୍ୟସ୍ତ ହୋଇପଡ଼ିବ।
ଅନ୍ୟପକ୍ଷରେ, ନର୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଥିବାରୁ ଏହି ଘଟଣା ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଶିକ୍ଷା ବିଭାଗ ଶୀଘ୍ର ପଦକ୍ଷେପ ନେବ ବୋଲି ଅଭିଭାବକମାନେ ଆଶା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଜିଲ୍ଲା ଶିକ୍ଷା ପ୍ରଶାସନ ଉପରେ ରହିଛି। ସମୟମଧ୍ୟରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ହେଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱାଭାବିକ ହେବା ସହ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସ୍ଥାନୀୟ ଲୋକଙ୍କ ଆଶା।

Total Users : 1000779