ଭୁବନେଶ୍ୱର:
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ନାଇଡୁ ତଦନ୍ତ କମିଶନ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ଏହି ବହୁଚର୍ଚ୍ଚିତ ମାମଲାରେ କ୍ୟାପିଟାଲ୍ ଥାନା ପୋଲିସ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ (ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍)ଙ୍କୁ ସମନ ଜାରି କରିଛି। ପୋଲିସ ପକ୍ଷରୁ ତାଙ୍କୁ ଆସନ୍ତା ୨୫ ତାରିଖ ସକାଳ ୧୧ଟା ସୁଦ୍ଧା ଏସିପି ଜୋନ୍–୧ଙ୍କ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ୨୦୨୪ ମସିହାରେ ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ ସରକାରୀ ଫାଇଲ୍ ନିୟମାନୁସାରେ ଗୃହ ବିଭାଗକୁ ଫେରାଇ ଦିଆଯାଇଥିଲା। କିନ୍ତୁ ନାଇଡୁ ତଦନ୍ତ କମିଶନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଫେରି ନଥିବା ଅଭିଯୋଗ ଉଠିଥିଲା। ଏହାପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା କ୍ୟାପିଟାଲ୍ ଥାନା ପୋଲିସ। ତଦନ୍ତରେ ଫାଇଲ୍ଟି କେଉଁଠି ଓ କେମିତି ନିଖୋଜ ହେଲା, କିଏ କିଏ ଏହାର ସଂସ୍ପର୍ଶରେ ଥିଲେ ଏବଂ ଏହା ପଛରେ କୌଣସି ପ୍ରଶାସନିକ ଅବହେଳା କିମ୍ବା ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି।
ଏହି ମାମଲାରେ ପୋଲିସ ପୂର୍ବରୁ ପୂର୍ବତନ ଆଇଏଏସ୍ ଅଧିକାରୀ ମନୋଜ ମିଶ୍ରଙ୍କୁ ଜେରା କରିସାରିଛି। ସେ ପୋଲିସ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଥିବା ବେଳେ, ତାଙ୍କ ବୟାନ ଆଧାରରେ ତଦନ୍ତକାରୀ ସଂସ୍ଥା କିଛି ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଇଥିବା ଚର୍ଚ୍ଚା ହେଉଛି। ସେହି ଆଧାରରେ ଭି.କେ. ପାଣ୍ଡିଆନ୍ଙ୍କୁ ସମନ ଜାରି କରାଯାଇଥିବା ସୂଚନା ମିଳୁଛି। ଅନ୍ୟପକ୍ଷରେ ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କୁ ମଧ୍ୟ ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଅସୁସ୍ଥତା କାରଣ ଦର୍ଶାଇ ଏପର୍ଯ୍ୟନ୍ତ ପୋଲିସ ସମ୍ମୁଖରେ ହାଜର ହୋଇନାହାନ୍ତି।
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି ଯେ, ମାମଲାର ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ଏବଂ ଏହା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ତଦନ୍ତ ନିରପେକ୍ଷ ଓ ତଥ୍ୟଭିତ୍ତିକ ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ଏପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଫାଇଲ୍ କେଉଁ କେଉଁ ସ୍ତର ଦେଇ ଯାଇଥିଲା, ସେସବୁ ପର୍ଯ୍ୟାୟକୁ ଖତିଆନ କରାଯାଉଛି। ତଦନ୍ତର ପ୍ରତ୍ୟେକ ସୋପାନକୁ ଯାଞ୍ଚ କରି ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ଏବଂ ଆବଶ୍ୟକ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ଘଟଣା ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା, ସରକାରୀ ଦସ୍ତାବେଜର ସୁରକ୍ଷା ଏବଂ ଜବାବଦେହିତାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ବର୍ତ୍ତମାନ ସମସ୍ତଙ୍କ ନଜର ୨୫ ତାରିଖରେ ଭି.କେ. ପାଣ୍ଡିଆନ୍ ପୋଲିସ ସମ୍ମୁଖରେ ହାଜର ହେବେ କି ନାହିଁ ଏବଂ ତାଙ୍କ ବୟାନ ପରେ ତଦନ୍ତ କେଉଁ ଦିଗକୁ ଗତି କରିବ, ତାହା ଉପରେ ରହିଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ନୂତନ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।

Total Users : 1000778