କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଞ୍ଚୁପୁଲି ପଞ୍ଚାୟତର ପୁଷ୍କୁରା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୫୦ ବର୍ଷ ପୁରୁଣା ଏହି ବିଦ୍ୟାଳୟରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ଚାଲୁଥିବା ବେଳେ କେବଳ ୩ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ବିଦ୍ୟାଳୟରେ ମାତ୍ର ୨ଟି ଶ୍ରେଣୀଗୃହ ଥିବାରୁ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି।
ଶିଶୁବାଟିକା ପାଇଁ ଜଣେ ଶିଶୁ ସହାୟିକା ଥିଲେ ମଧ୍ୟ, ଜଣେ ଶିକ୍ଷକ ବି.ଏଲ୍.ଓ. (BLO) ଦାୟିତ୍ୱରେ ଥିବାରୁ ଅନେକ ସମୟ ବିଦ୍ୟାଳୟରେ ଉପସ୍ଥିତ ରହିପାରୁ ନାହାନ୍ତି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ଏକାସାଙ୍ଗରେ ପାଞ୍ଚଟି ଶ୍ରେଣୀର ପାଠପଢ଼ା ପରିଚାଳନା କରିବାକୁ ପଡ଼ୁଛି, ଯାହା ଶିକ୍ଷାର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହା ସହିତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଦୟନୀୟ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଜାଳେଣି କାଠର ଅଭାବ ହେତୁ ପାଚିକାଙ୍କୁ କାଗଜ ଜାଳି ରୋଷେଇ କରିବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଅଭିଭାବକ ଓ ଗ୍ରାମବାସୀଙ୍କୁ ଗଭୀର ଭାବେ ଚିନ୍ତିତ କରିଛି। ଶିକ୍ଷା ବ୍ୟବସ୍ଥା, ମୌଳିକ ସୁବିଧା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଦେଖାଦେଇଥିବା ଏଭଳି ଅବ୍ୟବସ୍ଥାର ତୁରନ୍ତ ଓ ସ୍ଥାୟୀ ସମାଧାନ କରିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଓ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି। ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ସତର୍କ କରିଛନ୍ତି।

Total Users : 1000778