ଟିମ୍ ଇଣ୍ଡିଆରେ ସୁଯୋଗ ନମିଳିବା ପରେ କୁଲଦୀପଙ୍କ ବଡ଼ ପଦକ୍ଷେପ, ୟର୍କସାୟର ପାଇଁ ଖେଳିବେ ଷ୍ଟାର ସ୍ପିନର
ଭାରତୀୟ କ୍ରିକେଟ ଦଳର ଷ୍ଟାର ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ମଧ୍ୟ ସେ ନିୟମିତ ଭାବେ ଭାରତୀୟ ପ୍ଲେଇଂ-୧୧ରେ ସ୍ଥାନ ପାଉନଥିବାରୁ କ୍ରିକେଟ୍ ମହଳରେ ଚର୍ଚ୍ଚା ଜୋର ଧରିଛି। ସମ୍ପ୍ରତି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ଗୋଟିଏ ମ୍ୟାଚ୍ରେ ମଧ୍ୟ ସୁଯୋଗ ମିଳିନଥିଲା। ବିଶେଷକରି ଜସପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯିବା ପରେ କୁଲଦୀପ ପ୍ଲେଇଂ-୧୧ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ପୁଣି ଥରେ ତାଙ୍କୁ ବେଞ୍ଚରେ ବସାଇ ରଖିଥିଲା।
ଏହି ପରିସ୍ଥିତି ମଧ୍ୟରେ କୁଲଦୀପ ଯାଦବ ନିଜ ଫର୍ମ ଓ ଫିଟ୍ନେସ୍ ବଜାୟ ରଖିବା ପାଇଁ ଇଂଲଣ୍ଡର କାଉଣ୍ଟି କ୍ରିକେଟରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଇଂଲଣ୍ଡର ପ୍ରସିଦ୍ଧ କାଉଣ୍ଟି କ୍ଲବ ୟର୍କସାୟର ପକ୍ଷରୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଦିନିକିଆ କପ୍ ଏବଂ କାଉଣ୍ଟି ଚାମ୍ପିଅନସିପ୍ରେ କୁଲଦୀପ ଯାଦବ ଅଂଶଗ୍ରହଣ କରିବେ। ୟର୍କସାୟର କ୍ଲବ ପକ୍ଷରୁ ଏହି ସୂଚନା ସରକାରୀ ଭାବେ ଘୋଷଣା କରାଯାଇଛି। ସେ ମୋଟ ୮ଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ୫ଟି ଦିନିକିଆ କପ୍ ମ୍ୟାଚ୍ ଏବଂ ୩ଟି କାଉଣ୍ଟି ଚାମ୍ପିଅନସିପ୍ ମ୍ୟାଚ୍ ସାମିଲ ଅଛି।
କୁଲଦୀପଙ୍କ ଏହି ପଦକ୍ଷେପକୁ ଅନେକ କ୍ରିକେଟ୍ ବିଶେଷଜ୍ଞ ସକାରାତ୍ମକ ବୋଲି କହିଛନ୍ତି। ସେମାନଙ୍କ ମତରେ, ଇଂଲଣ୍ଡର ପରିବେଶରେ ଭଲ ପ୍ରଦର୍ଶନ କଲେ କୁଲଦୀପ ପୁଣିଥରେ ଜାତୀୟ ଦଳରେ ନିଜ ସ୍ଥାନ ଦାବିକୁ ଆହୁରି ମଜବୁତ କରିପାରିବେ। ଏହାସହ ଟିମ୍ ମ୍ୟାନେଜମେଣ୍ଟଙ୍କୁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ଦେଇପାରିବେ ଯେ ସେ ଏବେ ମଧ୍ୟ ଭାରତୀୟ ଦଳ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ୱିନର୍।
୨୦୧୭ ମସିହାରେ ଭାରତ ପାଇଁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା କୁଲଦୀପ ଯାଦବ ଏପର୍ଯ୍ୟନ୍ତ ୧୮ଟି ଟେଷ୍ଟରେ ୭୯ଟି ୱିକେଟ୍ ଏବଂ ୧୨୧ଟି ଦିନିକିଆରେ ୧୯୪ଟି ୱିକେଟ୍ ନେଇଛନ୍ତି। ତାଙ୍କର ଆନ୍ତର୍ଜାତୀୟ ପରିସଂଖ୍ୟାନ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ ମଧ୍ୟ ସମ୍ପ୍ରତି ସେ ନିୟମିତ ସୁଯୋଗ ପାଉନାହାନ୍ତି। ଏଭଳି ସ୍ଥିତିରେ କାଉଣ୍ଟି କ୍ରିକେଟରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଯଦି ସେ ସେଠାରେ ନିଜର ପୁରୁଣା ଫର୍ମ ଜାରି ରଖନ୍ତି, ତେବେ ଆଗାମୀ ସିରିଜଗୁଡ଼ିକରେ ଭାରତୀୟ ଦଳକୁ ଫେରିବାର ସମ୍ଭାବନା ଆହୁରି ବଢ଼ିପାରେ।

Total Users : 1000778