ରାଜ୍ୟରେ ବଢ଼ିବ ତାତି, ୪୫ ଡିଗ୍ରୀ ଛୁଇଁପାରେ ପାରା; କାଳବୈଶାଖୀକୁ ନେଇ ସତର୍କ ସୂଚନା
ଓଡ଼ିଶାରେ ପୁଣିଥରେ ଅସହ୍ୟ ଗ୍ରୀଷ୍ମ ପ୍ରକୋପ ଦେଖାଦେଇଛି। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ତାତିର ପ୍ରଭାବ ବଢ଼ିଚାଲିଛି। ସକାଳ ୭ଟାରୁ ହିଁ ସହର ଗୁଡ଼ିକରେ ଅସହ୍ୟ ଗରମ ଅନୁଭବ ହେଉଥିବାବେଳେ ଲୋକମାନଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। କେତେକ ଅଞ୍ଚଳରେ ପାରା ୪୫ ଡିଗ୍ରୀ ସେଲସିଅସ୍ ଛୁଇଁବାର ସମ୍ଭାବନା ରହିଛି। ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଓ ଜଳୀୟବାଷ୍ପର ପରିମାଣ କମିଥିବାରୁ ତାପମାତ୍ରା ବଢ଼ୁଥିବା କୁହାଯାଉଛି।
ଗତକାଲି ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ା ୪୩.୪ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ହୋଇଥିବାବେଳେ, କଟକରେ ୩୯.୬ ଓ ଭୁବନେଶ୍ୱରରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲା।
ଏହି ତାତି ମଧ୍ୟରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ଜାରି ରହିବ। ପାଣିପାଗ ବିଭାଗ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଜ୍ରପାତ, ଘଡ଼ଘଡ଼ି ଓ ଝଡ଼ବର୍ଷାର ସମ୍ଭାବନା ଥିବା କହିଛି। ଆସନ୍ତା ୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗତକାଲି କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ଓ ବର୍ଷା ଦେଖାଯାଇଥିଲା। ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ଝଡ଼ ବର୍ଷା ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିଥିଲା। ରାଜ୍ୟ ରାଜପଥ ୫୩ରେ ଗଛ ପଡ଼ି ଯାତାୟାତ ପ୍ରଭାବିତ ହୋଇଥିଲା। କେତେକ ସ୍ଥାନରେ ବାଇକ୍ ଓ ସାଇକେଲ୍ ଉପରେ ମଧ୍ୟ ଗଛ ପଡ଼ିଥିବା ଖବର ମିଳିଛି।
ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ଯୋଗୁଁ ଘୂର୍ଣ୍ଣିଝଡ଼ ସଦୃଶ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ଶତାଧିକ ଯାନବାହନ ରାସ୍ତାରେ ଅଟକି ରହିଥିଲା।
ପାଣିପାଗ ବିଭାଗ ଲୋକମାନଙ୍କୁ ଅତ୍ୟାବଶ୍ୟକ ନହେଲେ ଦିନ ସମୟରେ ଘରୁ ବାହାରିବାରୁ ବିରତ ରହିବାକୁ ଓ କାଳବୈଶାଖୀ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

Total Users : 1000779