ନିଟ୍ ପ୍ରାର୍ଥୀ ଛାତ୍ରୀଙ୍କୁ ଅପହରଣ ପରେ ଅମାନବୀୟ ନିର୍ଯାତନା, ୧୬ ଦିନ ଧରି ଚାଲିଲା ଗଣଦୁଷ୍କର୍ମ
ଉତ୍ତର ପ୍ରଦେଶର ମହୋବାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରି ୧୬ ଦିନ ଧରି ଅମାନବୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଛାତ୍ରୀଜଣକ କୋଚିଂ ସରି ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜୋରଜବରଦସ୍ତି ଗାଡ଼ିରେ ଉଠାଇ ନେଇଥିଲେ। ପରେ ତାଙ୍କୁ ପ୍ରୟାଗରାଜରେ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି।
ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତମାନେ ପ୍ରତି ୨ ଘଣ୍ଟାରେ ନିଶା ଇଞ୍ଜେକ୍ସନ୍ ଦେଇ ତାଙ୍କୁ ଅଚେତନ ଅବସ୍ଥାରେ ରଖୁଥିଲେ ଓ ପୁନଃପୁନି ଗଣଦୁଷ୍କର୍ମ କରୁଥିଲେ। ବିରୋଧ କଲେ ସିଗାରେଟ୍ରେ ପୋଡ଼ିବା ସହ ଧାରାଳ ଅସ୍ତ୍ରରେ ଆକ୍ରମଣ କରାଯାଉଥିବା କଥା ସେ ପୋଲିସକୁ କହିଛନ୍ତି।
୧୬ ଦିନ ପରେ ପୋଲିସ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲା। ଘଟଣାରେ ମୋହିତ ଶ୍ରୀବାସ, ଅଙ୍କିତ ଶ୍ରୀବାସ ଓ ହଲ୍ଲୁ ରାଜପୁତ ସହ ଅନ୍ୟାନ୍ୟଙ୍କ ନାମ ସାମ୍ନାକୁ ଆସିଛି।
ଏହି ଘଟଣା ପୁଣିଥରେ ମହିଳା ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ଓ ସାମାଜିକ ସଂଗଠନ।
