ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ, ଆଜି ରାତିଠାରୁ ଦେଶବ୍ୟାପୀ ବନ୍ଦ ରହିବ ମେଡିସିନ୍ ଦୋକାନ
ଡିଜିଟାଲ୍ ଓ ଅନଲାଇନ୍ ମାଧ୍ୟମରେ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ମେ’ ୨୦ ତାରିଖରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବାକୁ ଯାଉଛି। ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ଆଜି ରାତିଠାରୁ ଆସନ୍ତାକାଲି ରାତି ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିପାରେ। ତେବେ ଜରୁରୀ ଚିକିତ୍ସା ସେବାକୁ ଦୃଷ୍ଟିରେ ରଖି ଆପାତକାଳୀନ ଔଷଧ ସେବା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟଙ୍କ ଡାକରାରେ ଏହି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସଂଘର ଅଭିଯୋଗ ଅନୁସାରେ, ଅନଲାଇନ୍ ମାଧ୍ୟମରେ ଅନିୟନ୍ତ୍ରିତ ଔଷଧ ବିକ୍ରି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଝୁମ୍ପ ସୃଷ୍ଟି କରୁଛି।
ଏହି ପରିସ୍ଥିତିକୁ ଦେଖି ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲ୍ ପ୍ରଶାସନ ମଧ୍ୟ ସତର୍କ ହୋଇପଡ଼ିଛି। ସମସ୍ତ ଡ୍ରଗ୍ ଇନ୍ସପେକ୍ଟର ଓ ସହକାରୀ ଡ୍ରଗ୍ କଣ୍ଟ୍ରୋଲରମାନଙ୍କୁ ଆବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷ କରି ହସ୍ପିଟାଲ ସଂଲଗ୍ନ ମେଡିସିନ୍ ଷ୍ଟୋର୍, 24×7 ଫାର୍ମାସି ଓ ଜରୁରୀ ଔଷଧ ଦୋକାନଗୁଡ଼ିକୁ ଖୋଲା ରଖିବାକୁ କୁହାଯାଇଛି। ଡାଇବେଟିସ୍, ହୃଦରୋଗ, ଆସ୍ଥମା, କ୍ୟାନ୍ସର ଓ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ପୂର୍ବରୁ ଔଷଧ ମଜୁତ ରଖିବା ଉପରେ ଜୋର ଦିଆଯାଇଛି।
ସରକାରୀ ଏଜେନ୍ସି, ହୋଲସେଲର୍ ଓ ଡିଷ୍ଟ୍ରିବ୍ୟୁଟରମାନଙ୍କ ସହ ସମନ୍ୱୟ ରଖି ଔଷଧ ଯୋଗାଣ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକଙ୍କୁ ଆବଶ୍ୟକ ଔଷଧ ପୂର୍ବରୁ ସଂଗ୍ରହ କରି ରଖିବାକୁ ପରାମର୍ଶ ଦିଆଯାଇଛି।
