ଓଡ଼ିଶାରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଅଞ୍ଚଳ ଉପରେ ସମୁଦ୍ର ପତନରୁ ପ୍ରାୟ ୧.୫ ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜୁଲାଇ ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ମୌସୁମୀର ସକ୍ରିୟତା ଓ ସମ୍ଭାବ୍ୟ ଲଘୁଚାପର ମିଶ୍ର ପ୍ରଭାବରେ ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ବ୍ୟାପକ ବର୍ଷା ହୋଇପାରେ।
ପାଣିପାଗ ବିଭାଗ ଅନୁସାରେ, ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨ ତାରିଖରୁ ବର୍ଷାର ପରିମାଣ ଅଧିକ ବଢ଼ିବ। ଆଗାମୀ ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।
ଏହାସହ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ଏବଂ ସର୍ବାଧିକ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ଜୁଲାଇ ୩ ଓ ୪ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ସେପଟେ ବିଶ୍ୱ ପାଣିପାଗ ପରିସ୍ଥିତିକୁ ନଜରରେ ରଖିଲେ, ପ୍ରଶାନ୍ତ ମହାସାଗରରେ ଏଲ୍ନିନୋ ପ୍ରଭାବ ଧୀରେ ଧୀରେ ସକ୍ରିୟ ହେଉଛି। ବର୍ତ୍ତମାନ ଏହା ଦୁର୍ବଳ ସ୍ଥିତିରେ ଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ମଧ୍ୟମ ଏବଂ ସେପ୍ଟେମ୍ବର ସୁଦ୍ଧା ଶକ୍ତିଶାଳୀ ଏଲ୍ନିନୋରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଆଗାମୀ ମାସଗୁଡ଼ିକରେ ବର୍ଷାର ପ୍ରକୃତି ଓ ପାଣିପାଗ ଉପରେ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Total Users : 1000779