ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଢ଼ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ଏହାଛଡ଼ା ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ନିମ୍ନାଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ଜଳଜମା ଏବଂ କିଛି ସ୍ଥାନରେ ଭୂସ୍ଖଳନର ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି।
ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସହରରେ ୧୧୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ନିମ୍ନାଞ୍ଚଳରେ ଜଳଜମା ସମସ୍ୟା ଦେଖାଦେଇଥିବା ବେଳେ ଯାତାୟାତ ମଧ୍ୟ ଆଂଶିକ ପ୍ରଭାବିତ ହୋଇଛି।
ପାଣିପାଗ ବିଭାଗ ଲୋକମାନଙ୍କୁ ଅନାବଶ୍ୟକ ଘରୁ ବାହାରକୁ ନ ଯିବା, ନଦୀ ଓ ନାଳ ନିକଟକୁ ନ ଯିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନାକୁ ପାଳନ କରିବାକୁ ଅନୁରୋଧ କରିଛି।

Total Users : 1000779