ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ଉପରେ ସରକାରଙ୍କ କଟକଣା

Table of Content

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁପରିଚାଳିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ରନ୍ଧା ଖାଦ୍ୟ ବଣ୍ଟନ କରିପାରିବେ ନାହିଁ। ତେବେ ଶୁଖିଲା ଖାଦ୍ୟ ବଣ୍ଟନକୁ ଅନୁମତି ଦିଆଯିବ।
ପୁରୀ ସର୍କିଟ ହାଉସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ଯୋଗୁଁ ସୃଷ୍ଟି ହେଉଥିବା ଅପରିଷ୍କାର ପରିବେଶ, ଆବର୍ଜନା ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଏଡ଼ାଇବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।
ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରଥଯାତ୍ରା ପ୍ରସ୍ତୁତିର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ସହରକୁ ସଫା-ସୁତୁରା ରଖିବା, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ପାନୀୟ ଜଳ, ଆଲୋକୀକରଣ, ବର୍ଜ୍ୟବସ୍ତୁ ପରିଚାଳନା ଓ ଯାତ୍ରୀଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଶାସନିକ ସୂଚନା ଅନୁଯାୟୀ, ସହରର ସମସ୍ତ ନଳା ସଫା କରାଯାଇଛି ଏବଂ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଡ୍ରେନ୍‌ଗୁଡ଼ିକର ସଫେଇ କାମ ମଧ୍ୟ ଶେଷ ହୋଇଛି। ଭକ୍ତମାନଙ୍କ ସୁବିଧା ପାଇଁ ୨୪ଟି ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି। ସହରର ରାସ୍ତା ମରାମତି, ଗଡ଼ଢା ପୂରଣ ଓ ବୁଲାଗୋରୁ ନିୟନ୍ତ୍ରଣ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ବର୍ଷାକୁ ଦୃଷ୍ଟିରେ ରଖି ସହରର ୩୦ଟି ଜଳଜମା ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରାଯାଇଛି। ସେଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପସେଟ୍ ମୁତୟନ କରାଯାଇଛି, ଯାହା ଦ୍ୱାରା ବର୍ଷାଜଳର ଶୀଘ୍ର ନିଷ୍କାସନ ସମ୍ଭବ ହେବ।
ଅନ୍ୟପଟେ, ମହାପ୍ରଭୁଙ୍କ ଅଣସର ସମୟକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଡିଟ୍ ଓ ଆପତ୍ତିଜନକ ଫଟୋ, ଭିଡିଓ ଉପରେ ପୁରୀ ପୋଲିସ କଠୋର ପଦକ୍ଷେପ ନେଇଛି। ଗତ ତିନି ଦିନ ମଧ୍ୟରେ ୯୭ଟି ପୋଷ୍ଟ ଓ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେଗୁଡ଼ିକୁ ହଟାଯାଇଛି।
ପୁରୀ ପୋଲିସ ସ୍ପଷ୍ଟ କରିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ କୌଣସି ଫଟୋ, ଭିଡିଓ କିମ୍ବା ଡିଜିଟାଲ କଣ୍ଟେଣ୍ଟକୁ ଅନୁଚିତ ଭାବେ ଏଡିଟ୍, ବିକୃତ କିମ୍ବା ସେୟାର କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ସୋସିଆଲ ମିଡିଆରେ ଦାୟିତ୍ୱବୋଧ ସହିତ କଣ୍ଟେଣ୍ଟ ପୋଷ୍ଟ କରିବାକୁ ପୋଲିସ ସାଧାରଣ ଲୋକଙ୍କୁ ଅପିଲ କରିଛି।
ରଥଯାତ୍ରାକୁ ନେଇ ଚଳିତ ବର୍ଷ ସ୍ୱଚ୍ଛତା, ସୁରକ୍ଷା ଓ ଶୃଙ୍ଖଳାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବ୍ୟବସ୍ଥାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778