ମୟୂରଭଞ୍ଜ ଜିଲ୍ଲାର ମହୁଲଡ଼ିହା ଥାନା ଅନ୍ତର୍ଗତ ଡକେଇପାଳ ଗାଁରେ ଘଟିଥିବା ଏକ ହୃଦୟବିଦାରକ ଦ୍ୱୈତ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ରାତିରେ ଜଣେ ମହିଳା ଏବଂ ତାଙ୍କର ୯ ବର୍ଷର କୁନି ଝିଅଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାଥମିକ ତଦନ୍ତରେ ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ କଳହ ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି।
ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଚୈତନ୍ୟ ଟୁଡୁଙ୍କ ଭୂମିକାକୁ ନେଇ ପୁଲିସର ସନ୍ଦେହ ବଢ଼ିଛି। ଏହାପରେ ପୁଲିସ ତାଙ୍କୁ ଅଟକ ରଖି ଘନଘନ ପଚରାଉଚରା କରୁଛି। ସନ୍ଦେହ କରାଯାଉଛି ଯେ, ପାରିବାରିକ ବିବାଦକୁ କେନ୍ଦ୍ର କରି ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ଆକ୍ରମଣ କରାଯାଇଥିଲା, ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ମହୁଲଡ଼ିହା ପୁଲିସ ଓ ବୈଜ୍ଞାନିକ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିବା ବେଳେ ଫରେନ୍ସିକ୍ ରିପୋର୍ଟ ଓ ପଚରାଉଚରା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଏହି ଅଭାବନୀୟ ଦ୍ୱୈତ ହତ୍ୟାକାଣ୍ଡ ଗାଁରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ତଦନ୍ତ ଶେଷ ହେବା ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Total Users : 1000778