କାଳବୈଶାଖୀରେ ତାତିରୁ ମିଳିଲା ଆଶ୍ୱସ୍ତି: ଭୁବନେଶ୍ୱରରେ ୧୪ ଡିଗ୍ରୀ ଖସିଲା ପାରଦ, କୁଆପଥର ବର୍ଷାରେ ଜନଜୀବନ ପ୍ରଭାବିତ
ଭୁବନେଶ୍ୱର, ୬ ଜୁନ: ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଅନୁଭୂତ ହେଉଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଶନିବାର ଅପରାହ୍ଣରେ କାଳବୈଶାଖୀ ବର୍ଷା ବଡ଼ ଧରଣର ଆଶ୍ୱସ୍ତି ଆଣିଛି। ପ୍ରବଳ ପବନ ସହ କୁଆପଥର ବର୍ଷା ହେବାରୁ ସହରର ତାପମାତ୍ରା ହଠାତ୍ ହ୍ରାସ ପାଇଥିବା ବେଳେ ପରିବେଶ ଶୀତଳ ହୋଇପଡ଼ିଛି।
ଶନିବାର ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ୪୩ ପ୍ରତିଶତ ଆଦ୍ରତା ଯୋଗୁଁ ଅନୁଭୂତ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ତେବେ ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ତାପମାତ୍ରା ପ୍ରାୟ ୧୪ ଡିଗ୍ରୀ ହ୍ରାସ ପାଇ ୨୬ ଡିଗ୍ରୀ ସେଲସିୟସ୍କୁ ଖସି ଆସିଛି। ବର୍ତ୍ତମାନ ୮୬ ପ୍ରତିଶତ ଆଦ୍ରତା ଥିବାବେଳେ ଅନୁଭୂତ ତାପମାତ୍ରା ୨୮ ଡିଗ୍ରୀ ରହିଛି।
ଅନ୍ୟପଟେ, ପ୍ରବଳ ପବନ ଓ କୁଆପଥର ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ସୈନିକ ସ୍କୁଲ୍ରୁ ଆଚାର୍ଯ୍ୟ ବିହାର ରାସ୍ତାରେ ଗଛ ପଡ଼ିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ବାସିନ୍ଦାମାନେ ଗଛ କାଟି ରାସ୍ତା ସଫା କରିବାରେ ସହଯୋଗ କରିଥିଲେ।
ସେହିପରି ସିଆର୍ପି ଛକରୁ ୟୁନିଟ୍-୮ ଡିଏଭି ସ୍କୁଲ୍କୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଏକାଧିକ ବଡ଼ ଗଛ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। କେତେକ ସ୍ଥାନରେ ଗଛ ଅଟୋ ରିକ୍ସା ଓ ଦୁଇଚକିଆ ଯାନ ଉପରେ ପଡ଼ିଥିବାରୁ କ୍ଷୟକ୍ଷତି ହୋଇଛି। ତେବେ କୌଣସି ଜୀବନହାନି ସମ୍ପର୍କରେ ଖବର ମିଳିନାହିଁ।
ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ପାଣିପାଗ ବିଶେଷଜ୍ଞଙ୍କ ମତରେ, କାଳବୈଶାଖୀ ବର୍ଷା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରାକୁ ନିୟନ୍ତ୍ରଣରେ ରଖିପାରେ। ଏହା ଫଳରେ ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାଧାରଣ ଲୋକଙ୍କୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
