ନାମାଙ୍କନ ପରେ ଗର୍ଜିଲେ ଦେବାଶିଷ, ବିଜେଡିରେ ବଡ଼ ଭାଙ୍ଗନର ଇଙ୍ଗିତ

Table of Content

ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଭାବେ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ। ନାମାଙ୍କନ ପରେ ସେ ବିଜୁ ଜନତା ଦଳ (ବିଜେଡି) ଉପରେ ତୀବ୍ର ଆକ୍ରମଣ କରି ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ସୃଷ୍ଟି କରିଛନ୍ତି।

ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଆଗାମୀ ଦିନରେ ବିଜେଡିରୁ ଆହୁରି ଅନେକ ନେତା ଓ କର୍ମୀ ବିଜେପିରେ ଯୋଗ ଦେବେ। ତାଙ୍କ ମତରେ, ଦଳ ଭିତରେ ଅସନ୍ତୋଷ ବଢ଼ୁଥିବାରୁ ବିଜେଡିର ସଂଗଠନ ଦୁର୍ବଳ ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି, “ଆଗକୁ ବିଜେଡି ଭାଡ଼ି ଖାଲି ହୋଇଯିବ। ସେଠାରୁ ଅଧିକ ସଂଖ୍ୟକ ନେତା ଓ କର୍ମୀ ବିଜେପିରେ ଯୋଗଦେବେ। ଏହି ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବା ପାଇଁ ଅନେକ ଲୋକ ସେତୁ ଭାବେ କାମ କରୁଛନ୍ତି।”

ନିଜର ରାଜ୍ୟସଭା ପ୍ରାର୍ଥିତ୍ୱ ନେଇ ସେ ବିଜେପିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଦଳ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକାଶ କରିଥିବାରୁ ସେ କୃତଜ୍ଞ। “ମୋତେ ଲାଗୁଛି ମୁଁ ମୋ ନିଜ ଘରକୁ ଫେରିଆସିଛି। ଦଳ ଯେଉଁ ଦାୟିତ୍ୱ ଦେବ, ମୁଁ ନିଷ୍ଠାର ସହିତ ପାଳନ କରିବି। ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ ଓ ଲୋକଙ୍କ ସ୍ୱାର୍ଥ ପାଇଁ ଆହୁରି ସକ୍ରିୟ ଭାବେ କାମ କରିବି,” ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ମେ’ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟପଦ ଏବଂ ରାଜ୍ୟସଭା ସଦସ୍ୟପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଦଳର ଆଭ୍ୟନ୍ତରୀଣ କାର୍ଯ୍ୟଶୈଳୀ ଓ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡିରେ ଥିବାବେଳେ ନିଜକୁ ଅବହେଳିତ ମନେ ହେଉଥିବା ଏବଂ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଯଥାର୍ଥ ସମ୍ମାନ ଦିଆଯାଉନଥିବା ଅଭିଯୋଗ ମଧ୍ୟ କରିଥିଲେ।

ଇସ୍ତଫାର ପରଦିନ ଅର୍ଥାତ୍ ମେ’ ୨୬ ତାରିଖରେ ସେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଔପଚାରିକ ଭାବେ ଦଳରେ ଯୋଗଦେଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ପଦ୍ମ ଧାରଣ କରିଥିଲେ।

ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ଥିବାବେଳେ ଦେବାଶିଷ ସାମନ୍ତରାୟଙ୍କ ଏହି ବୟାନ ବିଜେଡି-ବିଜେପି ମଧ୍ୟରେ ରାଜନୈତିକ ତର୍କକୁ ଆହୁରି ତୀବ୍ର କରିଛି। ତାଙ୍କ ମନ୍ତବ୍ୟ ପରେ ବିଜେଡି ପକ୍ଷରୁ କିପରି ପ୍ରତିକ୍ରିୟା ଆସୁଛି, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts