ସତର୍କ କଲା ପାଣିପାଗ ବିଭାଗ, କାଳବୈଶାଖୀ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Table of Content

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରି ଧୀରେ ଧୀରେ ଆଗକୁ ବଢ଼ୁଥିବାବେଳେ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଓ ଗୁଳୁଗୁଳି ଜାରି ରହିଛି। ଦିନରେ ଅସହ୍ୟ ତାତି ଏବଂ ସନ୍ଧ୍ୟାବେଳେ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେଉଛି। ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ ଗରମ ଓ ଆଦ୍ରତାଜନିତ ଅସ୍ୱସ୍ଥକର ପରିସ୍ଥିତି ଜାରି ରହିବ।

ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିବାବେଳେ ଅଧିକ ଆଦ୍ରତା ଯୋଗୁଁ ଅନୁଭୂତ ତାପମାତ୍ରା ୪୭ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ ହୋଇଥିଲା। ଏହା ଲୋକଙ୍କ ମଧ୍ୟରେ ଅସ୍ୱସ୍ଥତା ବଢ଼ାଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ, ତାମିଲନାଡୁ ଓ ଆରବ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଏହା ବିସ୍ତାର ହେବା ପାଇଁ ପାଗ ଅନୁକୂଳ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ କାଳବୈଶାଖୀ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଓ ବର୍ଷାର ସମ୍ଭାବନା ରହିଛି।

ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।

କାଳବୈଶାଖୀ ବର୍ଷା ସତ୍ତ୍ୱେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅବସ୍ଥା ଲାଗି ରହିବ। ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ଉଷ୍ମ ରାତିର ସମ୍ଭାବନା ଥିବାବେଳେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଗରମ ଓ ଆଦ୍ରତାଜନିତ ଅସ୍ୱସ୍ଥତା ଜାରି ରହିବ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୬ରୁ ୭ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିପାରେ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts