ପଶ୍ଚିମବଙ୍ଗର ରାଜନୀତିରେ ପୁଣି ଥରେ ଉତ୍ତେଜନା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଓ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଉଠିଛି। ସୋନାରପୁର ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରଭାବିତ ପରିବାରମାନଙ୍କୁ ଭେଟିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।
ସୂଚନା ଅନୁସାରେ, ଅଭିଷେକ ବାନାର୍ଜୀ ଦଳୀୟ କର୍ମୀ ଏବଂ ପ୍ରଭାବିତ ପରିବାରମାନଙ୍କ ସହ ଭେଟିବାକୁ ଯାଉଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ଘେରି ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇଯିବା ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହେଲମେଟ୍ ପିନ୍ଧାଯାଇଥିବା ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଘଟଣା ସମୟରେ କିଛି ବିକ୍ଷୋଭକାରୀ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିବା ବେଳେ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଧସ୍ତାଧସ୍ତି ସମୟରେ ତାଙ୍କ ପୋଷାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଘଟଣାରେ ସେ କୌଣସି ଗୁରୁତର ଆହତ ହୋଇନଥିବା ସୂଚନା ମିଳିଛି।
ଏହି ଘଟଣାର କିଛି ସମୟ ପୂର୍ବରୁ ଅଭିଷେକ ବାନାର୍ଜୀଙ୍କ ଘରକୁ ସିଆଇଡିର ଏକ ଟିମ୍ ପହଞ୍ଚିଥିଲା। ସେତେବେଳେ ଗଣମାଧ୍ୟମ ସମ୍ମୁଖରେ ସେ କହିଥିଲେ, “ମୁଁ କୌଣସି ପରିସ୍ଥିତିରେ ନଇଁବି ନାହିଁ। ମୋର ଗଳା କାଟିଦେଲେ ମଧ୍ୟ ମୁଁ ନଇଁବି ନାହିଁ।” ତାଙ୍କ ଏହି ବୟାନ ପରେ ଘଟିଥିବା ଆକ୍ରମଣ ଅଭିଯୋଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଆକ୍ରମଣ ପରେ ଅଭିଷେକ ବାନାର୍ଜୀ ସିଧାସଳଖ ଭାବେ ଭାଜପା ଉପରେ ନିଶାନା ସାଧିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ, ଏହି ଘଟଣା ପଛରେ ଭାଜପାର ହାତ ରହିଛି। ସେ କହିଛନ୍ତି, “ଏହା ଭାଜପାର ଗଣତନ୍ତ୍ରର ନମୁନା। ମୁଁ ଦେଖିବି ଏମାନଙ୍କର କେତେ ଦମ ଅଛି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଘଟଣା ସମୟରେ ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିଲେ।
ଅଭିଷେକ ବାନାର୍ଜୀ ସ୍ପଷ୍ଟ କରି କହିଛନ୍ତି ଯେ, ପ୍ରଭାବିତ ଲୋକମାନଙ୍କୁ ନ୍ୟାୟ ମିଳିବା ଏବଂ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେ ତାଙ୍କ ସଂଘର୍ଷ ଜାରି ରଖିବେ।
ଏହି ଘଟଣା ପରେ ପଶ୍ଚିମବଙ୍ଗରେ ରାଜନୈତିକ ଆରୋପ-ପ୍ରତିଆରୋପ ତୀବ୍ର ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ଦେଖାଯାଉଛି।

Total Users : 1000778