ଅଂଶୁଘାତ ୱାର୍ଡରେ ତାଲା: ରୋଗୀମାନେ ବାଧ୍ୟ ହେଲେ ବିଞ୍ଚଣା ପବନର ଭରସାରେ ଚିକିତ୍ସା ନେବାକୁ

Table of Content

ନୟାଗଡ଼ ଜିଲ୍ଲାର ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁଣିଥରେ ଅବ୍ୟବସ୍ଥା ନେଇ ଚର୍ଚ୍ଚାରେ ଆସିଛି। ପ୍ରଚଣ୍ଡ ଖରାରେ ଅଂଶୁଘାତ ରୋଗୀଙ୍କ ପାଇଁ ନିର୍ଦ୍ଧାରିତ ଦୁଇଟି ପ୍ରକୋଷ୍ଠ ଅକାମୀ ହୋଇପଡ଼ିଥିବା ଅଭିଯୋଗ ଉଠିଛି। ଗୋଟିଏ ପ୍ରକୋଷ୍ଠରେ ଏସି ସୁବିଧା ଥିଲେ ମଧ୍ୟ ଦୁଆରରେ ତାଲା ଝୁଲୁଥିବାରୁ ରୋଗୀମାନେ ସେଥିରେ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଅନ୍ୟ ପ୍ରକୋଷ୍ଠଟି ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ତାହା ବ୍ୟବହାର ଯୋଗ୍ୟ ନୁହେଁ।

ଏହା ସହିତ ମେଡିକାଲ୍ ୱାର୍ଡର ଅବସ୍ଥା ମଧ୍ୟ ଉଦ୍‌ବେଗଜନକ। ବେଡ୍‌ ଉପରେ ଲାଗିଥିବା ଫ୍ୟାନ୍‌ଗୁଡ଼ିକ ଅତ୍ୟନ୍ତ ଧୀରେ ଚାଲୁଥିବାରୁ ରୋଗୀମାନେ ଗରମରେ ହାହାକାର କରୁଛନ୍ତି। ଫଳସ୍ୱରୂପ କେହି କାଗଜ ପଖା ଓ କେହି ବିଞ୍ଚଣାର ସହାୟତାରେ ରୋଗୀଙ୍କୁ ରାହାତ ଦେବାକୁ ବାଧ୍ୟ ହେଉଛନ୍ତି।

ପ୍ରାୟ ଦୁଇ ବର୍ଷ ପୂର୍ବେ ପ୍ରାୟ ୭ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ୩ ମହଲା ବିଶିଷ୍ଟ ନୂତନ ମେଡିକାଲ୍ ଭବନ ନିର୍ମାଣ ହୋଇଥିଲା। ଏହି ଭବନରେ ବହିର୍ବିଭାଗ, ଅସ୍ତ୍ରୋପଚାର ଗୃହ, ଏକ୍ସ-ରେ କକ୍ଷ, ଦନ୍ତ, ଭେଷଜ, ସ୍ତ୍ରୀ ଓ ପ୍ରସୂତି ବିଭାଗ ସହିତ ୮୩ଟି ପ୍ରକୋଷ୍ଠ ରହିଛି। ତଥାପି ଏହି ନୂଆ ଭବନ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ସ୍ଥାନୀୟ ଅଞ୍ଚଳବାସୀଙ୍କ ମତାନୁସାରେ, ଯଦି ଏହି ଭବନ ଶୀଘ୍ର ଚାଲୁ ହୋଇଥାନ୍ତା, ତେବେ ଅଞ୍ଚଳର ହଜାର ହଜାର ଗରିବ ରୋଗୀଙ୍କୁ ଦୂର ହସ୍ପିଟାଲକୁ ଯିବାର ଆବଶ୍ୟକତା ପଡ଼ୁନଥାନ୍ତା।

ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବାରୁ ପ୍ରଶାସନ ଉପରେ ପ୍ରଶ୍ନ ଉଠୁଛି। ରୋଗୀ ସେବାର ଏହି ଅବନତି କେବେ ସୁଧୁରିବ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts