ସମ୍ବଲପୁରର ପ୍ରସିଦ୍ଧ ଏବଂ ଐତିହ୍ୟବାହୀ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ବର୍ଷର ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ।
ସରକାରଙ୍କ ଏହି ସହାୟତା ରାଶି ସମ୍ବଲପୁର ଜିଲ୍ଲାର ୨୧ଟି ଶୀତଳ ଷଷ୍ଠୀ ଯାତ୍ରା କମିଟି ମଧ୍ୟରେ ବଣ୍ଟନ କରାଯିବ। ଏହା ଦ୍ୱାରା ପର୍ବର ସୁଚାରୁ ପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିବ।
ଚଳିତ ବର୍ଷ ଜୁନ୍ ୧୫ ତାରିଖରୁ ଆରମ୍ଭ ହେବ ଶୀତଳ ଷଷ୍ଠୀ ଯାତ୍ରା। ଏହାକୁ ନେଇ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଯାତ୍ରାର ସୁଚାରୁ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଶୀତଳ ଷଷ୍ଠୀ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଲୋକବିଶ୍ୱାସର ଏକ ଅନନ୍ୟ ପ୍ରତୀକ। ଏହି ପର୍ବକୁ ଭବ୍ୟ ଓ ସୁସଂଗଠିତ ଭାବେ ପାଳନ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।
ଏଥର ଯାତ୍ରା ସମୟରେ ସହରର ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ବଡ଼ ସଡ଼କ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରୁଟ୍ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଭିଡ଼ ନିୟନ୍ତ୍ରଣ ସହ ଯାତ୍ରା ଦର୍ଶନ ପରେ ଲୋକମାନେ ସହଜରେ ବାହାରି ପାରିବେ।
ସେହିପରି ଯାତ୍ରା ପୂର୍ବରୁ ସହରର ରାସ୍ତାଘାଟ ମରାମତି, ସ୍ୱଚ୍ଛତା ଅଭିଯାନ, ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତି, ଜବରଦଖଲ ଉଚ୍ଛେଦ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ତତ୍ପରତା ଦେଖାଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହେବାର ଆଶା କରାଯାଉଛି। ତେଣୁ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଓ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।
ଓଡ଼ିଶାର ଲୋକପ୍ରିୟ ଧାର୍ମିକ ଓ ସାଂସ୍କୃତିକ ପର୍ବମାନଙ୍କ ମଧ୍ୟରେ ଶୀତଳ ଷଷ୍ଠୀ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ। ସରକାରଙ୍କ ଏହି ଆର୍ଥିକ ସହାୟତା ପର୍ବର ଆୟୋଜନକୁ ଆହୁରି ଭବ୍ୟ ଓ ଆକର୍ଷଣୀୟ କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
